ହାଇଦ୍ରାବାଦ:ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ବର୍ଷ ୨୦୨୨ ସେପ୍ଟମ୍ବର ମାସ ପାଇଁ ଉଭୟ ମହିଳା ଏବଂ ପୁରୁଷ ଦଳର ଆଇସିସି ପ୍ଲେୟର ଅଫ ଦି ମନ୍ଥ ଘୋଷଣା କରିଛି । ପୁରୁଷ ଦଳର ପାକିସ୍ତାନର ଷ୍ଟାର ବ୍ୟାଟର ମହମ୍ମଦ ରିଜୱାନ (Mohammad Rizwan) ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବିବେଚିତ ହୋଇଥିବାବେଳେ ମହିଳା ଦଳର ଟିମ ଇଣ୍ଡିଆ କ୍ୟାପଟେନ ହରମନପ୍ରୀତ କୌର (Harmanpreet Kaur) ଆଇସିସି ପ୍ଲେୟାର ଅଫ ଦି ମନ୍ଥ ବିବେଚିତ ହୋଇଛନ୍ତି ।
ଅଧିନାୟିକା ହରମନପ୍ରୀତ କୌରଙ୍କ ପାଇଁ ଚଳିତ ବର୍ଷ ସେପ୍ଟେମ୍ବର ମାସ ବହୁତ ସ୍ମରଣୀୟ ରହିଥିଲା । ଭାରତୀୟ ମହିଳା କ୍ରିକେଟ ଦଳ ହରମନପ୍ରୀତ କୌରଙ୍କ ନେତୃତ୍ବରେ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ହରାଇ ୩-୦ ରେ ସିରିଜ କ୍ଲିନସ୍ବିପ କରିବାରେ ସଫଳ ହୋଇଥିଲା । ଦୀର୍ଘ ୨୩ ବର୍ଷ ପରେ ତଥା ୧୯୯୯ ମସିହା ପରେ ଭାରତ ପ୍ରଥମ ଥର ଇଂଲଣ୍ଡ ମାଟିରେ ଦିନିକିଆ ସିରିଜ ହାତେଇଥିଲା । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟିକା ହରମନପ୍ରୀତ କୌର ତିନୋଟି ମ୍ୟାଚରେ ୨୨୧ ରନ କରିଥିଲେ । ପ୍ରଥମ ଦିନିକିଆରେ ୭୪ ରନର ଇନିଂସ ଖେଳିଥିଲେ ।