ଦୁବାଇ: ଚଳିତବର୍ଷ ଦିନିକିଆ ଫର୍ମାଟ୍ରେ ଖେଳାଯାଉଛି ଏସିଆ କପ୍ ୨୦୨୩ । ଯେଉଁଥିପାଇଁ ପ୍ରତି ମ୍ୟାଚ୍ ପରେ ଆଇସିସି ଏହାର ମାନ୍ୟତା ତାଲିକାରେ ଅଦଳବଦଳ କରୁଛି । ତେବେ ନିକଟରେ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଫାଇନାଲ୍ରେ ପ୍ରବେଶ କରିସାରିଛି ଭାରତ । ଏହା ସହିତ ଭାରତୀୟ ଯୁବ ଓପନର ଶୁଭମନ ଗିଲ୍ଙ୍କୁ ମିଳିଛି ବଡ଼ ସଫଳତା । ଆଇସିସି ଦିନିକିଆ ବ୍ୟାଟର ରାଙ୍କିଂରେ ଗିଲ୍ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । କେବଳ ଗିଲ୍ ନୁହନ୍ତି, ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଏହି ତାଲିକାରେ ପ୍ରମୋସନ ହୋଇଛି ।
ଏସିଆ କପ୍ରେ ଭାରତର ଯୁବ ଓପନର ଶୁଭମନ ଗିଲ୍ ଏଯାଏଁ ଦୁଇଟି ଅର୍ଦ୍ଧଶତକ ସହ ୧୫୪ ରନ ସଂଗ୍ରହ କରିଛନ୍ତି । ଏଭଳି ପ୍ରଦର୍ଶନ ଫଳରେ ସେ ଆଇସିସି ବ୍ୟାଟର ରାଙ୍କିଂର ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି । ଏହା ତାଙ୍କ ଦିନିକିଆ କ୍ୟାରିୟର ଶ୍ରେଷ୍ଠ ସ୍ଥାନ । ପ୍ରଥମ ସ୍ଥାନରେ ରହିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ୮୬୩ ପଏଣ୍ଟ ସହ ଏହି ତାଲିକାର ଶୀର୍ଷରେ ରହିଥିବାବେଳେ ଗିଲଙ୍କ ରେଟିଂ ପଏଣ୍ଟ ରହିଛି ୭୫୯ । ଅର୍ଥାତ ବାବରଙ୍କ ଠାରୁ ମାତ୍ର ୧୦୩ ପଏଣ୍ଟ ପଛରେ ରହିଛନ୍ତି ଗିଲ୍ । ସେହିପରି ବିରାଟ କୋହଲି ୨ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ଓ ରୋହିତ ଶର୍ମା ନବମ ସ୍ଥାନରେ ପହଞ୍ଚିଛନ୍ତି । ରୋହିତ ଏସିଆ କପ୍ରେ ବିସ୍ଫୋରକ ବ୍ୟାଟିଂ ସହିତ କ୍ରମାଗତ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ବିରାଟ ମଧ୍ୟ ପାକିସ୍ତାନ ବିପକ୍ଷରେ ଅପରାଜିତ ୧୨୨ ରନର ଧୂଆଁଧାର ଇନିଂସ ଖେଳିଥିଲେ ।