ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ଦିନିକିଆ ମାନ୍ୟତାର ସଦ୍ୟ ତାଲିକା ପ୍ରକାଶ ପାଇଛି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କର ସଦ୍ୟ ପ୍ରକାଶିତ ତାଲିକାରେ ଉନ୍ନତି ହୋଇଛି । 5ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ରୋହିତ । ଚଳିତ ବିଶ୍ବକପରେ ରୋହିତ ଶର୍ମା ଫୁଲ ଫର୍ମରେ ରହିଛନ୍ତି । 3ଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ହିଟମ୍ୟାନ । ଏହି ପ୍ରଦର୍ଶନ ବଳରେ ତାଙ୍କର ରାଙ୍କିଂ ଉନ୍ନତି ଘଟିଛି ।
ଷଷ୍ଠରେ ହିଟମ୍ୟାନ:ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ରୋହିତ । ମୋଟ 3ଟି ମ୍ୟାଚରେ ସେ 217 କରିଥିଲେ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଫଳ ହୋଇଥିଲେ ମଧ୍ୟ ଆଫଗାନିସ୍ତାନ ଓ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ସଫଳ ହୋଇଥିଲେ । ଆଫଗାନିସ୍ତାନ ବିପକ୍ଷରେ 131 ରନ ଓ ପାକିସ୍ତାନ ବିପକ୍ଷରେ 83ରନ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ଆଧାରରେ ଆଇସିସି ଦିନିକିଆ ମାନ୍ୟତାର ତାଙ୍କର ଅଗ୍ରଗତି ହୋଇଛି । ମାନ୍ୟତାର ଷଷ୍ଠ ସ୍ଥାନରେ ରହିଛନ୍ତି ରୋହିତ । ପାକିସ୍ତାନ ଅଧିନାୟକ ବାବର ଆଜମ ପୂର୍ବପରି ଶୀର୍ଷରେ ରହିଛନ୍ତି । ତେବେ ବ୍ୟାଟିଂ ତାଲିକାରେ ଶ୍ରେଷ୍ଠ 10ରେ 3ଜଣ ଭାରତୀୟ ବ୍ୟାଟର ରହିଛନ୍ତି । ଯୁବ ବ୍ୟାଟର ଶୁଭମନ ଗିଲ ଦ୍ବିତୀୟ, ରୋହିତ ଶର୍ମା ଷଷ୍ଠ ଓ ବିରାଟ କୋହଲି ନବମ ସ୍ଥାନରେ ରହିଛନ୍ତି ।
ସେହିପରି ଦକ୍ଷିଣ ଆଫ୍ରକାର କ୍ବିଣ୍ଟନ ଡି କକ୍ ତୃତୀୟ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ବକପରେ ଲାଗାତର ଦୁଇଟି ଶତକ ହାସଲ କରିଥିଲେ । ସେହିପରି ରାସି ଭାନ ଡୋର ଡୁସେନ ଚତୁର୍ଥ ଓ ଆୟର୍ଲାଣ୍ଡର ହ୍ଯାକୀ ଟେକ୍ସଟ 5ମ, ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର 7ମ, ଇଂଲଣ୍ଡର ଡେଭିଡ ମଲାନ 8ମ ଓ ପାକିସ୍ତାନର ଇମାନ ଉଲ ହକ 10ମ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନ ଓପନର ରହମ୍ମୁଲ୍ଲା ଗୁରୁବାଜ 19ସ୍ଥାନ ଉଠି 18ତମ ସ୍ଥାନରେ ପହଞ୍ଚିଛନ୍ତି । ନେଦରଲାଣ୍ଡସ ଅଧିନାୟକ ସ୍କଟ୍ ଏଡୱାର୍ଡସ 16 ସ୍ଥାନ ଉଠି 27ର ବଡ ଲମ୍ଫ ମାରିଛନ୍ତି ।