ହାଇଦ୍ରାବାଦ: ସୋମବାର ଟି୨୦ ଟିମ ଅଫ୍ ଦି ଇୟର ୨୦୨୨ (ICC T20I Team of the Year 2022) ଘୋଷଣା କରିଛି ICC । ଏଥିରେ ୩ ଜଣ ଭାରତୀୟ କ୍ରିକେଟରଙ୍କୁ ସ୍ଥାନ ମିଳିଛି । ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଏହି ICC ଟି୨୦ ଟିମ୍ରେ ସ୍ଥାନ ପାଇଛି । ଟି୨୦ ଚମ୍ପିଆନ ଇଂଲଣ୍ଡ ଦଳର ଅଧିନାୟକ ଜୋସ ବରଲରଙ୍କୁ ଏହି ଦଳର ଅଧିନାୟକ କରାଯାଇଛି । ଏହି ଦଳରେ ଅନ୍ୟ ଖେଳାଳିଙ୍କ ମଧ୍ୟରେ ପାକିସ୍ତାନର ବ୍ୟାଟର ମହମ୍ମଦ ରିଜ୍ବାନ ଓ ବୋଲର ହାରିଶ ରୌଫ, ନ୍ୟୁଜିଲାଣ୍ଡର ବ୍ୟାଟର ଗ୍ଲେନ୍ ଫିଲିପ୍ସ, ଜିମ୍ବାୱେ ଅଲରାଉଣ୍ଡର ସିକନ୍ଦର ରାଜା, ଇଂଲଣ୍ଡର ସାମ୍ କରନ୍, ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଓ ଆୟରଲାଣ୍ଡର ଦ୍ରୁତ ବୋଲର ଜୋସ ଲିଟିଲଙ୍କ ନାମ ସାମିଲ ଅଛି ।
୧. ଜୋସ ବଟଲର(ଇଂଲଣ୍ଡ): ଜୋସ ବଟଲରଙ୍କ ପାଇଁ ଜଣେ ଖେଳାଳି ଓ ଅଧିନାୟକ ବର୍ଷ ୨୦୨୨ ଶୁଭଙ୍କର ଥିଲା । ୧୫ ମ୍ୟାଚ୍ରେ ବଟଲର ୧୬୦.୪୧ର ଧୂଆଁଧାର ଷ୍ଟ୍ରାଇକ୍ ରେଟରେ ୪୬୨ ରନ୍ ସଂଗ୍ରହ କରିଥିଲେ । ଜୁନ ୨୦୨୨ରେ ମୋର୍ଗାନଙ୍କ ଅବସର ପରେ ଜୋସ ବଟଲରଙ୍କୁ ଇଂଲଣ୍ଡର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା । ତେବେ ଅଧିନାୟକ ପଦ ସମ୍ଭାଳିବାର ପ୍ରଥମ ବର୍ଷ ହିଁ ସେ ନିଜ ଦଳକୁ ଆଇସିସି ଟି୨୦ ବିଶ୍ବକପ ୨୦୨୨ର ଚାମ୍ପିଆନ କରାଇଥିଲେ ।
୨. ମହମ୍ମଦ ରିଜ୍ବାନ(ପାକିସ୍ତାନ): ୨୦୨୧ ବର୍ଷ ଆରମ୍ଭରୁ ୨୦୨୨ ବର୍ଷ ଶେଷ ପର୍ଯ୍ୟନ୍ତ ରିଜ୍ବାନ ନିଜର ସବୁଠାରୁ ଭଲ ଫର୍ମରେ ନଜର ଆସିଥିଲେ । ଏହି ଦୁଇ ବର୍ଷରେ ସେ ୯୯୬ ରନ ସଂଗ୍ରହ କରିବା ସହିତ ଟି୨୦ କ୍ରିକେଟ୍ରେ ସବୁଠାରୁ ଅଧିକ ରନ ସଂଗ୍ରହ କରିବା ସୂଚୀରେ ସେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୨୦୨୨ରେ ସେ ଟି୨୦ କ୍ରିକେଟରେ ୧୦ ଅର୍ଦ୍ଧଶତକ ହାସଲ କରିବା ସହିତ ବିଶ୍ବକପରେ ପାକିସ୍ତାନ ପାଇଁ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ବ୍ୟାଟରଙ୍କ ମଧ୍ୟରୁ ଜଣେ ଥିଲେ ।
୩. ବିରାଟ କୋହଲି(ଭାରତ): ୨୦୧୯ ପରଠାରୁ ଫର୍ମରେ ନଥିବା କିଙ୍ଗ କୋହଲି ୨୦୨୨ରେ ପୁରୁଣା ଲୟକୁ ଫେରିଥିଲେ । ସେ ୨୦୨୨ ଟି୨୦ ଏସିଆ କପରେ ମାତ୍ର ୫ ମ୍ୟାଚ୍ରୁ ୨୭୬ ରନ ସଂଗ୍ରହ କରି ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟରେ ରହିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ବିପକ୍ଷରେ ୨୦୦ ଷ୍ଟ୍ରାଇକ୍ ରେଟରେ ୧୨ ଚୌକା ଓ ୬ ଛକା ସହିତ ମାତ୍ର ୬୧ ବଲରୁ ୧୨୨ରନ ସଂଗ୍ରହ କରିଥିଲେ । କେବଳ ଏସିଆ କପ ନୁହେଁ, ଟି୨୦ ବିଶ୍ବକପରେ ମଧ୍ୟ ସେ ନିଜର ଦମଦାର ଫର୍ମ ଦେଖାଇଥିଲେ । ଏଥିରେ ମଧ୍ୟ ସେ ୩ ଅର୍ଦ୍ଧଶତକ ସହିତ ୨୯୬ ରନ ସଂଗ୍ରହ କରିଥିଲେ ।
୪. ସୂର୍ଯ୍ୟକୁମାର ଯାଦବ(ଭାରତ): ୨୦୨୨ରେ ନିଜର ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଇସିସି କ୍ରିକେଟର ଅଫ ଦି ଇୟର ଭାବେ ଚୟନ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ । ସେ ଟି୨୦ କ୍ରିକେଟ ଇତିହାସରେ ଗୋଟିଏ ବର୍ଷରେ ୧୦୦୦ରୁ ଅଧିକା ରନ ସଂଗ୍ରହ କରିବାରେ ଦ୍ବିତୀୟ କ୍ରିକେଟର ହୋଇଛନ୍ତି । ସେ ୨୦୨୨ରେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହିତ ୧୮୭.୪୩ ଷ୍ଟ୍ରାଇକ ରେଟରେ ୧୧୬୪ ରନ ସଂଗ୍ରହ କରିଛନ୍ତି । ୨୦୨୨ରେ ସବୁଠାରୁ ଅଧିକ ଛକା (୬୮) ମାରିବା ସହିତ କ୍ରିକେଟ ଇତିହାସରେ ନିଜର ନାମ ଲେଖାଇଛନ୍ତି ।
୫. ଗ୍ଲେନ ଫିଲିପ୍ସ(ନ୍ୟୁଜିଲାଣ୍ଡ): ଗ୍ଲେନ ଫିଲିପ୍ସ କେବଳ ବ୍ୟାଟିଂ ନୁହେଁ, ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ନିଜର ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି । ଫିଲିପ୍ସ ୨୦୨୨ରେ ୨୧ ଟି୨୦ ମ୍ୟାଚ୍ ଖେଳି ୧୫୬.୩୩ ଷ୍ଟ୍ରାଇକ ରେଟରେ ୭୧୬ ରନ ସଂଗ୍ରହ କରିଛନ୍ତି । ୨୦୨୨ ଟି୨୦ ବିଶ୍ବକପରେ ସେ ୧୫୮.୨୬ ଷ୍ଟ୍ରାଇକ ରେଟରେ ୨୦୧ ରନ ସ୍କୋର କରିଥିଲେ ।