ନୂଆଦିଲ୍ଲୀ: ପାଖେଇ ଆସୁଛି ଦିନିକିଆ କ୍ରିକେଟ୍ ବିଶ୍ବକପ୍ ମହାକୁମ୍ଭ । ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ଆୟୋଜନ ହେବ ଦିନିକିଆ ବିଶ୍ବକପ୍ ୨୦୨୩ । ଏହି ବିଶ୍ବକପ୍ର ସମସ୍ତ ମ୍ୟାଚ୍ ଦେଶର ୧୦ଟି ସହରରେ ଖେଳାଯିବ । ଏହା ପୂର୍ବରୁ ଦଳଗୁଡ଼ିକ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଗୌହାଟୀ ଓ ଥିରୁବନନ୍ତପୁରମ୍ରେ ଅଭ୍ୟାସ ମ୍ୟାଚ୍ ଖେଳିବେ । ତେବେ ସମ୍ପୂର୍ଣ୍ଣ ବିଶ୍ବକପ୍ ପାଇଁ ୧୨ଟି ଷ୍ଟାଡିୟମ୍ର ପ୍ରସ୍ତୁତି ଏବଂ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ ପାଇଁ ICCର ଏକ ପ୍ରତିନିଧି ଦଳ ଭାରତରେ ପହଞ୍ଚିଛି । ସମସ୍ତ ୧୨ଟି ଷ୍ଟାଡିୟମ୍ ଗସ୍ତ କରି ଏହାର ଅନୁଧ୍ୟାନ କରିବେ ICCର ପ୍ରତିନିଧି ।
ଭାରତ ଆସିଥିବା ICC ପ୍ରତିନିଧି ଦଳରେ ନିରାପତ୍ତା, କାର୍ଯ୍ୟକ୍ରମ ଆୟୋଜନ ଓ ପ୍ରସାରଣ ବିଶେଷଜ୍ଞ ରହିଛନ୍ତି । ପ୍ରଥମେ ଏହି ଦଳ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ ଅନୁଧ୍ୟାନ କରିଥିଲେ । ଏନେଇ ମୁମ୍ବଇ କ୍ରିକେଟ୍ ଆସୋସିଏସନ୍ (ଏମ୍ସିଏ)ର ସଭାପତି ଅମୋଲ କାଲେ କହିଛନ୍ତି, "ଆମର ସମସ୍ତ ପ୍ରସ୍ତୁତି ନେଇ ICC ପ୍ରତିନିଧି ଖୁସି ପ୍ରକଟ କରିଛନ୍ତି । କେବଳ ଟିକେଟ ବ୍ୟବସ୍ଥା ନେଇ ନିଷ୍ପତ୍ତି ବାକି ରହିଛି । ଟିକଟର ଦର କଣ ରହିବ, ତାହା ନିଷ୍ପତି କରି ବିସିସିଆଇକୁ ଜଣାଇ ଦେବୁ ।" ଏହାପରେ ICC ଦଳ ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ । ସେଠାରେ ମଧ୍ୟ ସମସ୍ତ ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ । ପରେ ସେମାନେ ଥିରୁଅନନ୍ତପୁରମ୍ର ଗ୍ରୀନ୍ଫିଲ୍ଡ ଷ୍ଟାଡିୟମ୍ ଓ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବୁଲି ଦେଖିଥିଲେ ।