କୋଲକାତା:ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ । ଆଜି (ଗୁରୁବାର) ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ସ୍ଥିତ ଇଡେନ ଗାର୍ଡେନରେ ଖେଳାଯାଉଛି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମି ଫାଇନାଲ । ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡ଼ିଛି କଙ୍ଗାରୁ ଟିମ । ହେଲେ ଇତି ମଧ୍ୟରେ ଖେଳରେ ବର୍ଷା ସାଜିଥିଲା ବାଧକ । ହେଲେ ବର୍ଷା କମିବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲେ ସୁଦ୍ଧା ପାଗ ପୁଣି ବାଧକ ସାଜିବ ବୋଲି ଆଶଙ୍କା କରାଯାଉଛି ।
ବର୍ଷା କମିବା ପରେ ୩.୫୫ ସୁଦ୍ଧା ପିଚ୍ରୁ କଭର୍ ହଟାଯାଇ ପୁଣି ଖେଳ ଆରମ୍ଭ ହୋଇଛି । ମାତ୍ର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ପାଗ ପୁଣି ମ୍ୟାଚ୍ରେ ବାଧକ ସାଜିପାରେ । କିନ୍ତୁ ଏହି ମ୍ୟାଚ୍ ଦେଖିବା ଲାଗି ଇଡେନ ଗାର୍ଡେନରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିଛି । ଗତକାଲି (ବୁଧବାର) ନ୍ୟୁଜିଲାଣ୍ଡକୁ ହରାଇ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିସାରିଛି । ଏହି ମ୍ୟାଚ୍ ଶେଷ ହେବା ପରେ ଭାରତ ବିପକ୍ଷରେ ଫାଇନାଲ ଖେଳିବାକୁ ଥିବା ଦ୍ବିତୀୟ ଟିମ ସାମ୍ନାକୁ ଆସିବ । ତେବେ ୧୪ ଓଭର ଶେଷ ସୁଦ୍ଧା ବର୍ଷା ହେବା କାରଣରୁ ମ୍ୟାଚ୍ ଅଟକିଥିଲା ।