ହାଇଦ୍ରାବାଦ: ଯଦି ଆଗାମୀ ବିଶ୍ବକପ ପାଇଁ ନିଜ ପସନ୍ଦର ଦଳ ବିଷୟରେ ପଚରାଯାଏ, ତେବେ କ୍ରିକେଟ୍ ପ୍ରଶଂସକମାନେ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ନାମ ରଖିବେ । ତେବେ ପାଞ୍ଚ ଦଶନ୍ଧି ପୂର୍ବରୁ କିନ୍ତୁ ଏହି ଦୃଶ୍ୟ ଭିନ୍ନ ଥିଲା । ସମସ୍ତେ ପ୍ରଥମ ପସନ୍ଦ ଭାବେ ୱେଷ୍ଟଇଣ୍ଡିଜକୁ ବାଛୁଥିଲେ । ଏହା ହେଉଛି ଦୁଇଥର ବିଶ୍ବ ଚମ୍ପିଆନ୍ ତଥା ଦୁଇଥର ଟି20 ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍ ଦଳ, ଯିଏକି ବିଶ୍ବକପ୍ ୨୦୨୩ ପାଇଁ ଯୋଗ୍ୟତା ମଧ୍ୟ ଅର୍ଜନ କରିପାରିନାହିଁ । ଦିନିକିଆ କ୍ରିକେଟର ପାଞ୍ଚ ଦଶନ୍ଧି ମଧ୍ୟରେ ବର୍ତ୍ତମାନ ଏହି ଦଳର ସବୁଠାରୁ ଖରାପ ପର୍ଯ୍ୟାୟ ବୋଲି କୁହାଯାଇପାରେ ।
କ୍ରିକେଟ ଓ ୱେଷ୍ଟଇଣ୍ଡିଜ୍: କ୍ରିକେଟ୍ ପଡ଼ିଆରେ ପ୍ରଥମ ଟେଷ୍ଟ ୧୮୭୭ ମସିହାରେ ଖେଳାଯାଇଥିଲା । ଇଂଲଣ୍ଡକୁ କ୍ରିକେଟର ଜନ୍ମସ୍ଥାନ ବୋଲି କୁହାଯାଏ । ଏହା ଦିନିକିଆ ହେଉ ବା ଟେଷ୍ଟ୍, ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଛି । କିନ୍ତୁ, କ୍ରିକେଟ ଖେଳ ଖେଳ ମନୋରଞ୍ଜନ ଏବଂ ଉତ୍ସାହଜନକ ମଧ୍ୟ ହୋଇପାରେ, ଏହା ୱେଷ୍ଟଇଣ୍ଡିଜ୍ ବିଶ୍ବକୁ ଦେଖାଇଲା । ୧୯୭୦ ଦଶକର ପ୍ରାରମ୍ଭରେ କ୍ରିକେଟରେ ପ୍ରାଧାନ୍ୟ ବିସ୍ତାର କରିବା ସହିତ ୱେଷ୍ଟଇଣ୍ଡିଜ୍ ବିଶ୍ବର ସମସ୍ତ ଦଳକୁ ନିଜ ଆଣ୍ଠୁରେ ବସାଇବାକୁ ବାଧ୍ୟ କରିଦେଲା । ଉତ୍ତର ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଅବସ୍ଥିତ ଛୋଟ ଦ୍ବୀପଗୁଡ଼ିକ ୱେଷ୍ଟଇଣ୍ଡିଜ୍ ନାମକ ଏକ ଦେଶ ଗଠନ କରି କ୍ରିକେଟ ଜଗତକୁ ରୋମାଞ୍ଚକର ମୂହୁର୍ତ୍ତ, ବିଶ୍ବସ୍ତରୀୟ ଖେଳାଳି ଏବଂ ଏକ ଚମ୍ପିଆନ୍ ଦଳ ଯୋଗାଇଥିଲା, ଯାହା ଏହି କ୍ରିକେଟ ଇତିହାସରେ ଲେଖିବା ପାଇଁ ଯଥେଷ୍ଟ ଥିଲା ।
ସଫଳତାର ଶିଖରରୁ ରସାତଳ ପର୍ଯ୍ୟନ୍ତ: ୭୦ ଏବଂ ୮୦ ଦଶକରେ ୱେଷ୍ଟଇଣ୍ଡିଜର ସଫଳତା ଅପରିହାର୍ଯ୍ୟ ଥିଲା ଏବଂ ସେହି ଯୁଗରେ କୌଣସି ଦଳ ଏହି ଦଳକୁ ଟକ୍କର ଦେବା ସ୍ଥିତିରେ ନଥିଲେ । ୧୯୭୫ରେ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ ଉଦ୍ଘାଟନୀ ସଂସ୍କରଣରେ ଖେଳିଥିବା ସମସ୍ତ ୫ଟି ମ୍ୟାଚ୍ ଜିତି ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଏହି କାରବିଆନ୍ ଦଳ ପରବର୍ତ୍ତୀ ସଂସ୍କରଣ ଗୁଡ଼ିକରେ ମଧ୍ୟ ନିଜରର ସ୍ଥିତିକୁ ଏକ ପ୍ରାଧାନ୍ୟ ଶକ୍ତି ଭାବରେ ପ୍ରତିଷ୍ଠିତ କରିବା ଜାରି ରଖିଥିଲା ।
ଯେତେବେଳେ ୭୦ ଦଶକରେ ଦିନିକିଆ କ୍ରିକେଟ୍ ଆରମ୍ଭ ହୋଇଥିଲା, ୱେଷ୍ଟଇଣ୍ଡିଜ୍ ଏଥିରେ ରାଜ କରିବା ଆରମ୍ଭ କରିଥିଲା । ୧୯୮୩ ବିଶ୍ବକପ୍ ଭାରତ ଜିତିଥିଲା ସତ, କିନ୍ତୁ ସେହି ସଂସ୍କରଣରେ ରନର୍ ଅପ୍ ହୋଇଥିବା ୱେଷ୍ଟଇଣ୍ଡିଜ୍ ସମସ୍ତଙ୍କର ପ୍ରଥମ ପସନ୍ଦର ଦଳ ଭାବେ ବିବେଚନା କରାଯାଉଥିଲା । ୱେଷ୍ଟଇଣ୍ଡିଜର ସ୍ଥିତି ଏପରି ଥିଲା ଯେ, ଭାରତର ବିଶ୍ବ ବିଜୟକୁ ମଧ୍ୟ ଅସ୍ଥାୟୀ ବିବେଚନା କରାଯାଇଥିଲା । ଏହାର କାରଣ ହେଉଛି ୱେଷ୍ଟଇଣ୍ଡିଜ୍ ଦଳ ଯାହା ୭୦ ଓ ୮୦ ଦଶକରେ ଅପରାଜିତ ବୋଲି ବିବେଚନା କରାଯାଉଥିଲା ଏବଂ ପରିସଂଖ୍ୟାନରେ ମଧ୍ୟ ବେଶ ଆଗରେ ରହିଥିଲା । ୧୯୭୫ ଏବଂ ୧୯୭୯ ବିଶ୍ବକପରେ ୱେଷ୍ଟଇଣ୍ଡିଜ୍ ଗୋଟିଏ ମଧ୍ୟ ମ୍ୟାଚ୍ ହାରିନାହିଁ । ଏପରିକି ୧୯୮୩ ବିଶ୍ବକପ୍ରେ ଏହା ଭାରତୀୟ ଦଳ ଠାରୁ ମାତ୍ର ଗୋଟିଏ ମ୍ୟାଚ୍ (ଫାଇନାଲ୍) ହାରିଥିଲା । ଯଦିଓ ଏହି ବିଶ୍ବକପ ପରେ ମଧ୍ୟ ଦଳର ପ୍ରାଧାନ୍ୟ ଜାରି ରହିଥିଲା, ହେଲେ ପୁନର୍ବାର ଦିନିକିଆ ବିଶ୍ବକପ୍ରେ ଟ୍ରଫି ହାତେଇବାରେ ସେମାନେ ସଫଳ ହୋଇନଥିଲେ ।
୯୦ ଦଶକର ନିକଟତର ହେବାପରେ ବିଜେତା ଦଳର କାରବିଆନ୍ ଖେଳାଳିମାନେ ଅବସର ଗ୍ରହଣ କରିବାକୁ ଲାଗିଲେ । ୧୯୯୬ର ସେମିଫାଇନାଲ ବ୍ୟତୀତ, ଏହି ଦଳ ବିଶ୍ବକପ୍ର ଶ୍ରେଷ୍ଠ ୪ଟି ଦଳର ଅଂଶ ହୋଇପାରିନାହିଁ । ଏପରିକି ଚଳିତ ୨୦୨୩ ବିଶ୍ବକପ୍ ଖେଳିବାକୁ ଯୋଗ୍ୟତା ମଧ୍ୟ ଅର୍ଜନ କରିବାରେ ବିଫଳ ହୋଇଛି ଦିନିକିଆ କ୍ରିକେଟ ଇତିହାସର ଏହି ସର୍ବଶ୍ରେଷ୍ଠ ଦଳ । ଯଦିଓ ୱେଷ୍ଟଇଣ୍ଡିଜ୍ ଦଳ ୨୦୧୨ ଏବଂ ୨୦୧୬ରେ ଟି20 ବିଶ୍ବକପ୍ ଏବଂ ୨୦୦୪ରେ ଚମ୍ପିଆନ୍ସ ଟ୍ରଫି ଜିତିଥିଲା, ହେଲେ ବିପକ୍ଷ ଦଳ ଆଗରେ ସେମାନେ ନିଜ ପୁରୁଣା ଗର୍ବକୁ ଫେରାଇ ଆଣିବାରେ ସଫଳ ହୋଇନଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ଟିମ୍ ଇଣ୍ଡିଆର ସାମର୍ଥ୍ୟ ଓ ଦୁର୍ବଳତା