ନୂଆଦିଲ୍ଲୀ:ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆ କପ ଖେଳିବାକୁ ଟିମ ଇଣ୍ଡିଆ ଯିବ କି ନାହିଁ ତାହାକୁ ନେଇ ବିବାଦ ଦେଖାଯାଇଛି । ଏହାରି ଭିତରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏସିଆ କପ ଖେଳିବା ଲାଗି ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଯିବ କି ନାହିଁ ତାହା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ଥିର କରିବ । ଖେଳାଳିମାନେ ସୀମା ଆରପଟକୁ ଯିବା ସମ୍ଭାବନା କମ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଜାନୁଆରୀ 31ରୁ ଫେବ୍ରୁଆରୀ 11 ଯାଏ ମଧ୍ୟପ୍ରଦେଶରେ ଖେଲୋ ଇଣ୍ଡିଆ ପଞ୍ଚମ ସଂସ୍କରଣ ହେବା ନେଇ ଘୋଷଣା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ।
ଅନ୍ୟପଟେ ଆସନ୍ତା ବର୍ଷ 50 ଓଭର ବିଶିଷ୍ଟ ବିଶ୍ବକପ ଖେଳିବା ପାଇଁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ଆଶା କରିଛନ୍ତି । ବିସିସିଆଇ ସମ୍ପାଦକ ଜୟ ଶାହ ମଙ୍ଗଳବାର କହିଥିଲେ ଯେ, ମହାଦେଶୀୟ କ୍ରିକେଟ ଇଭେଣ୍ଟର ଅଂଶଗ୍ରହଣ ଲାଗି ଭାରତୀୟ ଟିମ୍ ପାକିସ୍ତାନ ଯିବ ନାହିଁ । ପ୍ରତିଯୋଗିତା ଯଦି ଏକ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରାଯାଏ ତେବେ ଏଥିରେ ଭାଗ ନେବା ନେଲେ କୌଣସି ଅସୁବିଧା ନାହିଁ । ଜୟ ଶାହଙ୍କ ଏହି ବିବୃତି ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭାରତ ଯଦି ଏଭଳି ନିଷ୍ପତ୍ତି ନିଏ ତେବେ ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ବିଶ୍ବକପରେ ପାକିସ୍ତାନ ଭାଗ ନେଇ ନପାରେ ବୋଲି ଧମକ ଦେଇଥିଲା ପିସିବି ।
କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେଉଁ ଦଳ ବିଶ୍ବକର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କୁ ପ୍ରତିଯୋଗିତା ପାଇଁ ଆମନ୍ତ୍ରଣ କରାଯାଇଛି । ପାକିସ୍ତାନ ମଧ୍ୟ ଅନେକ ଥର ଭାରତ ଆସି ପ୍ରତିଯୋଗିତାରେ ଭାଗ ନେଇଛି ତେଣୁ ବିସିବି ସେପରି କିଛି ନିଷ୍ପତ୍ତି ନେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ । ଏସିଆ କପ ପାଇଁ ଭାରତର ପାକ୍ ଗସ୍ତ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ଏହାଛଡା ଖେଳାଳିଙ୍କ ସୁରକ୍ଷା ଓ ନରାପଦାକୁ ପ୍ରଥମେ ଗୁରୁତ୍ବ ଦିଆଯିବ । ଜୟ ଶାହଙ୍କ ବିବୃତ୍ତି ପରେ ବିବାଦ ଉପୁଜିବାରୁ ଗଣମାଧ୍ୟମଙ୍କ ପ୍ରଶ୍ନରେ ଏହି ପ୍ରତିକ୍ରିୟା ରଖଛନ୍ତି ଅନୁରାଗ ଠାକୁର ।