କଟକ: ଚଳିତ ରଣଜୀ ସିଜିନରେ ମଉଳିଲା ଓଡିଶାର କ୍ବାଟର ଫାଇନାଲ ଆଶା । ହିମାଚଳ ପ୍ରଦେଶ ସହ ଖେଳାଯାଉଥିବା ରଣଜୀ ମ୍ୟାଚରେ ୩ ଓ୍ବିକେଟରେ ପରାସ୍ତ ହୋଇଛି ଓଡିଶା । ଗତକାଲି ଅନ୍ତିମ ତଥା ଶେଷ ମ୍ୟାଚରେ ୩୧୦ ରନରେ ୭ ଓ୍ବିକେଟ ହରାଇ ବିଜୟୀ ହୋଇଥିଲା ହିମାଚଳ ପ୍ରଦେଶ ।
ତେବେ ଚଳିତ ରଣଜୀ ସିଜିନରେ ମୋଟ ୫ଟି ମ୍ୟାଚ ଖେଳି ଓଡିଶା ୨ଟି ମ୍ୟାଚ ଡ୍ର ରଖି ଏଲିଟ ଗ୍ରୁପ ଏରେ ୭ ପଏଣ୍ଟ ପାଇଁ ସପ୍ତମ ସ୍ଥାନରେ ରହିଛି । ସେହିପରି ହିମାଚଳ ପ୍ରଦେଶରେ ୫ଟି ମ୍ୟାଚ ଖେଳି ଦୁଇଟିରେ ବିଜୟ , ଗୋଟିଏରେ ପରାଜୟ ଓ ୨ଟି ମ୍ୟାଚ ଡ୍ର ରଖି ମୋଟ ୧୭ ପଏଣ୍ଟ ସହ ଏଲିଟ ଗ୍ରୁପ ଏର ତୃତୀୟ ସ୍ଥାନରେ ରହିଛି ।
ଶୁକ୍ରବାର ହିମାଚଳ ଓ ଓଡିଶା ଅନ୍ତିମ ମ୍ୟାଚରେ ୩୦୮ ରନର ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଥିଲା ଘରୋଇ ହିମାଚଳ ପ୍ରଦେଶ । ଓଡିଶା ବୋଲରଙ୍କ ବୋଲିଂରେ ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ହିମାଚଳ ପ୍ରଦେଶ । ଫଳରେ ପ୍ରଥମ ୧୦ ରନରେ ୪ଟି ୱିକେଟ ହରାଇଥିଲା ହିମାଚଳ । ଓଡିଶା ବୋଲର ବସନ୍ତଙ୍କ ବଲରେ ଘାଇଲା ହୋଇଥିଲେ ହିମାଚଳର ବ୍ୟାଟର । ବସନ୍ତ ବୋଲି କରି ପ୍ରଥମ ଓ ଦ୍ବିତୀୟ ଓଭରରେ ବିପକ୍ଷ ଦଳର ରାଘବ ଧାଓ୍ବନ, ଅମିତ କୁମାର ଓ ଆକାଶ ବଶିଷ୍ଟଙ୍କୁ ପାଭିଲିୟନ ପଠାଇଦେଇଥିଲେ । ଏହାପରେ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଶାନ୍ତ ଚୋପ୍ରାଙ୍କୁ ୭ ରନରେ ଆଉଟ କରିଥିଲେ ।
ଏହାପରେ ପଡିଆକୁ ଓହ୍ଲାଇଥିଲେ ହିମାଚଳ ପ୍ରଦେଶ ଦଳର ଅଧିନାୟକ ଋଷି ଧାଓ୍ବନ ଏବଂ ଅଙ୍କିତ କାଲସି । ଉଭୟ ଦଳର ସ୍ଥିତି ଧିରେ ଧିରେ ସୁଧାରିଥିଲେ । ରିଶି ଓ ଅଙ୍କିତ ଦଳର ସ୍କୋରକୁ ଆଗକୁ ନେଇଥିଲେ । ଫଳରେ ଉଭୟଙ୍କ ଯୋଡିକୁ ଭାଙ୍ଗିବାରେ ବିଫଳ ହୋଇଥିଲେ ଓଡିଶାର ବୋଲର । ଯେତେବେଳେ ଦଳୀୟ ରନ ୨୧୩ ହୋଇଥିଲା ସେତେବେଳେ ଋଷି ଆଉଟ ହୋଇଯାଇଥିଲେ । ସେ ୧୦୨ ରନ କରି ଶତକ ହାସଲ କରିଥିଲେ । ଏହାପରେ ଓଡିଶା ବୋଲର ଆଉ ୨ଟି ଓ୍ବିକେଟ ନେଇଥିଲେ । କିନ୍ତୁ ଅଙ୍କିତଙ୍କ ଧମଦାର ପ୍ରଦର୍ଶନ ଯୋଗୁଁ ଦଳ ବିଜୟୀ ହୋଇଥିଲା । ସେ ଖେଳ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୬୫ ରନ କରିଥିଲେ ।
ଓଡିଶା ତରଫରୁ ବସନ୍ତ ମହାନ୍ତି ୩ଟି ଓ୍ବିକେଟ ନେଇଥିବା ବେଳେ ପ୍ରଥମ ଶ୍ରେଣୀ କ୍ରିକେଟରେ ୪ଶହ ଓ୍ବିକେଟ ପୂରଣ କରିଛନ୍ତି ଅଭିଜ୍ଞ ପେସ ବୋଲର ବସନ୍ତ ମହାନ୍ତି । ତେବେ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉତ୍ତର ପ୍ରଦେଶକୁ ଭେଟିବ ଓଡିଶା । ଏହାପରେ ୨୪ ତାରିଖରେ ବେଙ୍ଗଲ ଓ ଓଡିଶା ମଧ୍ୟରେ ମୁକାବିଲା ହେବ । ଏହି ଦୁଇ ମ୍ୟାଚରେ ଓଡିଶାର ଫଳାଫଳ କଣ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।