ମୁମ୍ବାଇ: ଦୁଇ ବର୍ଷ ପରେ ପୁରୁଣା ଦଳକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ୍ ୨୦୨୪ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ରବିବାର ସମସ୍ତ ଦଳ ସେମାନଙ୍କ ରିଲିଜ୍ ଓ ରିଟେନ୍ ଖେଳାଳିଙ୍କ ତାଲିକା ମଧ୍ୟ ଜାରି କରିଛନ୍ତି । ତେବେ ଆଇପିଏଲ୍ ୨୦୨୪ ପାଇଁ ପ୍ରସ୍ତୁତିର ପ୍ରଥମ ଦିନରେ ହିଁ ବେଶ ରୋଚକ ଘଟଣାମାନ ଘଟିଛି । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ଦୁଇଗୁଣା କରିଛି । ଆଇପିଏଲ୍ ଇତିହାସର ଦୁଇଟି ବଡ଼ ଟ୍ରେଡ୍ ଦେଖିବାକୁ ମିଳିଛି । ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୁଣିଥରେ ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି । ସେପଟେ ୧୭.୫ କୋଟି ଟଙ୍କାର ବଡ଼ ଟ୍ରେଡ୍ ସହ ମୁମ୍ବାଇରୁ କ୍ୟାମେରନ ଗ୍ରୀନଙ୍କୁ ଆଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ତେବେ ଶେଷ ୨ ବର୍ଷରେ ମୁମ୍ବାଇ ସହ ସମ୍ପର୍କ ତୁଟାଇ ଗୁଜରାଟ ଟାଇଟନ୍ସର ନେତୃତ୍ବ ନେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ମ୍ୟାନେଜମେଣ୍ଟ ସହିତ ପାଣ୍ଡ୍ୟାଙ୍କର କିଛି ମତଭେଦ ହୋଇଥିବା ଚର୍ଚ୍ଚା ହୋଇଥିଲା । ହେଲେ ଏବେ ଦୁଇ ବର୍ଷ ପରେ ଗୁଜରାଟର ନେତୃତ୍ବ ଛାଡ଼ି ପୁଣିଥରେ ମୁମ୍ବାଇ ଫେରିଛନ୍ତି ପାଣ୍ଡ୍ୟା । ଏହାପରେ ନିଜ 'ଏକ୍ସ' ହ୍ୟାଣ୍ଡେଲରେ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ଏହା ଅନେକ ସୁନ୍ଦର ସ୍ମୃତି ଫେରାଇ ଆଣିଛି । ମୁମ୍ବାଇ...ୱାଙ୍ଖେଡେ...ପଲ୍ଟନ...ମୁମ୍ବାଇକୁ ଫେରି ଭଲ ଲାଗିଲା ।"
୨୦୧୫ରୁ ୨୦୨୧ MI ଟ୍ରମ୍ପକାର୍ଡ ପାଣ୍ଡ୍ୟା: ଆଇପିଏଲ୍ ୨୦୧୫ ପାଇଁ ହୋଇଥିବା ମିନି ଅକ୍ସନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳକୁ ଆଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ଧିରେ ଧିରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଏକ ପ୍ରମୁଖ ସଦସ୍ୟ ଭାବେ ଦଳକୁ ଅନେକ ମ୍ୟାଚ୍ ଜିତାଇଥିଲେ । ରୋହିତ ଶର୍ମାଙ୍କ ପରେ ପାଣ୍ଡ୍ୟାଙ୍କୁ ଦଳର ଟ୍ରମ୍ପ କାର୍ଡ ବୋଲି ମଧ୍ୟ କୁହାଯାଉଥିଲା । ହେଲେ ହଠାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆଇପିଏଲ୍ ୨୦୨୨ ପୂର୍ବରୁ ପାଣ୍ଡ୍ୟାଙ୍କୁ ରିଲିଜ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କ୍ରୁଣାଲ)ଙ୍କୁ ମୁମ୍ବାଇ ରିଲିଜ କରିବା ପ୍ରଶଂସକଙ୍କୁ ବିଚଳିତ କରିଥିଲା ।