ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ପାକିସ୍ତାନ ଠାରୁ ଭାରତ ଶୋଚନୀୟ ଭାବରେ ପରାଜୟ ହୋଇଛି । ମ୍ୟାଚକୁ ନେଇ ବର୍ତ୍ତମାନ କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ଓ ପାକିସ୍ତାନ ଫାଷ୍ଟ ବୋଲର ମହମ୍ମଦ ଆମିରଙ୍କ ମଧ୍ୟରେ ଟ୍ବିଟର ଝଡ଼ ଆରମ୍ଭ ହୋଇଛି । ଗତ ରବିବାର ଭାରତ ଟି-୨୦ ବିଶ୍ବକପରେ ତାର ପ୍ରଥମ ମ୍ୟାଚ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଖେଳିଥିଲା । ଏହି ମ୍ୟାଚରେ ଭାରତ ୧୦ ୱିକେଟରେ ପାକିସ୍ତାନ ଠାରୁ ପରାଜିତ ହୋଇଥିଲା । ଏହାକୁ ନେଇ ପାକିସ୍ତାନୀ ଫାଷ୍ଟ ବୋଲର ମହମ୍ମଦ ଆମିର ଟ୍ବିଟରରେ ହରଭଜନ ସିଂହଙ୍କୁ ଟ୍ରୋଲ କରିଥିଲେ ।
ଟ୍ରୋଲର ଜବାବ ଦେଇ ହରଭଜନ ସିଂହ ମଧ୍ୟ କିଛି ଟ୍ବିଟ୍ କରିଥିଲେ । ଯାହା ଫଳରେ ଦୁହିଁଙ୍କ ମଧ୍ୟରେ ଟ୍ବିଟର ଝଡ଼ ଆରମ୍ଭ ହୋଇଛି । ଭାରତ ମ୍ୟାଚରେ ପରାଜିତ ହେବାପରେ ପ୍ରଥମେ ଟ୍ବିଟ୍ କରି ମହମ୍ମଦ ଆମିର ଲେଖିଥିଲେ ଯେ, "ମୁଁ ସଭିଁଙ୍କୁ ଏହା ପଚାରିବାକୁ ଚାହୁଁଥିଲି ଯେ ହରଭଜନ ସିଂହ ଆଜି ଘରେ ଟିଭି ଭାଙ୍ଗିଛନ୍ତି କି ନାହିଁ । କାରଣ ଏହା ଏକ କ୍ରିକେଟ ଗେମ୍ ।"
ଏହାର ଜବାବ ଦେଇ ହରଭଜନ ସିଂହ ଏସିଆ କପ୍ର ଏକ ଭିଡିଓ ସେୟାର କରି ଆମିରଙ୍କୁ ଜବାବ ଦେଇଥିଲେ ଯେ, "ଏହି ଛକା ତୁମ ଘରେ ଲ୍ୟାଣ୍ଡ କରିଥିଲା ନା ନାହିଁ । କାରଣ ଏହା ବି କ୍ରିକେଟ ଗେମ୍ ।" ଭିଡିଓ ଟି ଏସିଆ କପ ମ୍ୟାଚର ଥିଲା, ଯେଉଁଥିରେ ହରଭଜନ ଆମିଲଙ୍କ ବଲରେ ଛକା ମାରି ଭାରତକୁ ମ୍ୟାଚ ବିଜୟୀ କରାଇଥିଲେ ।