ନୂଆଦିଲ୍ଲୀ:ଭାରତକୁ ପ୍ରଥମ କ୍ରିକେଟ ବିଶ୍ବକପ ଦେଇ କମାଲ କରିଥିଲେ କପିଲ । 1983ରେ ଭାରତକୁ ପ୍ରଥମ କ୍ରିକେଟ ବିଶ୍ବକପ ଭେଟି ଦେଇଥିଲେ ବିଶ୍ବ ବିଜୟୀ ଅଧିନାୟକ କପିଲ ଦେବ । ଆଜି ହେଉଛି ତାଙ୍କର 63ତମ ଜନ୍ମ ଦିନ (Happy birthday Kapil Dev) । 1983 କ୍ରିକେଟ ବିଶ୍ବକପ ବିଜୟ ହିଁ ଭାରତକୁ ଆଜି ସାରା ବିଶ୍ବରେ ଏକ କ୍ରିକେଟ ହବରେ ପରିଣତ କରିପାରିଛି ।
୧୯୫୯ ମସିହା ଆଜିର ଦିନରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ । କପିଲଙ୍କ ପରି ନା କିଏ ହୋଇଛନ୍ତି ନା ହେବେ । ବ୍ୟାଟିଂ ବୋଲିଂ ଫିଲ୍ଡିଂରେ ଦକ୍ଷତା ଥିଲା କପିଲଙ୍କର । ଏହି ସବୁ କ୍ବାଲିଟି ତାଙ୍କୁ ଦୁନିଆରେ ଅଲରାଉଣ୍ଡର ଭାବରେ ପରିଚିତ କରିଛି । କ୍ରିକେଟ ବିଶ୍ବକପର ତୃତୀୟ ସଂସ୍କରଣ ତଥା 1983 ବିଶ୍ବକପରେ ଦୁର୍ଦ୍ଦଶ ତଥା ଦୁଇ ଥର ଚାମ୍ପିଅନ ହୋଇଥିବା ୱେଷ୍ଟଇଣ୍ଡିଜକୁ ପରାସ୍ତ କରି କପିଲ ଦେବଙ୍କ ଭାରତୀୟ କ୍ରିକେଟ ଦଳ ଐତିହାସିକ କ୍ରିକେଟର ମକ୍କା ଲର୍ଡସରେ ବିଶ୍ବକପ ଉଠାଇଥିଲେ । ତାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ସାରା ବିଶ୍ବରେ ଏକ ନୂତନ ପରିଚୟ ପାଇଥିଲା ।
ସେ ଭାରତୀୟ ଦଳ ତରଫରୁ 1978ରୁ 1994 ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରି 131 ଟେଷ୍ଟ ଓ 225 ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଥିଲେ । ସେ ଟେଷ୍ଟରେ 434 ୱିକେଟ ଦଖଲ କରିଥିଲେ । କପିଲ ଦେବଙ୍କ ଜନ୍ମ ଦିବସ ଅବସରରେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ସମେତ ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 1983ରେ ଭାରତ ଜିତିଥିବା ପ୍ରଥମ ବିଶ୍ବକପ ଯାତ୍ରାକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଫିଲ୍ମର ନାଁ ୮୩ ରଖାଯାଇଥିଲା ।