ହାଇଦ୍ରାବାଦ: ଭାରତୀୟ ପୂର୍ବତନ କ୍ରିକେଟର ତଥା ରାଜନେତା ସାଜିଥିବା ଗୌତମ ଗମ୍ଭୀରଙ୍କର ଆଜି ଜନ୍ମଦିନ । ୪୧ ବର୍ଷରେ ପାଦ ଥାପିଛନ୍ତି ଗୌତମ । ୨୦୦୭ ଓ ୨୦୨୧ ବିଶ୍ବକପରେ ଜଣେ ହିରୋ ଥିଲେ ଗୌତମ ଗମ୍ଭୀର । ନୂଆଦିଲ୍ଲୀରେ ୧୯୮୧ ଅକ୍ଟୋବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଗମ୍ଭୀର । ତାଙ୍କ ପିତାଙ୍କ ନାମ ଦୀପକ ଗମ୍ଭୀର ଏବଂ ମାତାଙ୍କ ନାମ ନତାଶା ଜୈନା । ଆଜି ତାଙ୍କ ଜନ୍ମ ଦିନରେ ଫ୍ୟାନ୍ସ ଓ ସାଥୀ ଖେଳାଳିଙ୍କ ନିକଟରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି । ବିସିସିଆଇ ମଧ୍ୟ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମାତ୍ର ୧୦ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ଗମ୍ଭୀର । ଦୁଇ ବିଶ୍ବକପ ବିଜୟୀ ଫାଇନାଲରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ୨୦୧୧ ବିଶ୍ବକପ ଓ ୨୦୦୭ ଟି-୨୦ ବିଶ୍ବକପରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଯାହା ଭାରତକୁ ବିଜୟୀ କରାଇଥିଲା । ୨୪୨ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଗମ୍ଭୀର । ଅନ୍ତର୍ଜାତୀୟ ମ୍ୟାଚରେ ୧୦,୩୨୪ ରନ କରିବାରେ ସକ୍ଷମ ହୋଇଛନ୍ତି ସେ । କ୍ରିକେଟ କ୍ୟାରିୟରରେ ୫୮ଟି ଟେଷ୍ଟ, ୧୪୭ଟି ଦିନିକିଆ ଏବଂ ୩୭ଟି ଟି-୨୦ ଖେଳିଛନ୍ତି । ଯେଉଁଥିଲେ ଯଥାକ୍ରମେ ୪,୧୫୪, ୫,୧୫୪ ଏବଂ ୯୩୨ ରନ ସଂଗ୍ରହ କରିଛନ୍ତି । ଆଇପିଏଲରେ ଦିଲ୍ଲୀ ଓ କୋଲକାତା ଫ୍ରାଞ୍ଚାଇଜ ପାଇଁ ଖେଳିଛନ୍ତି । ତାଙ୍କ ଦଳ କୋଲକାତା ନାଇଟ ରାଇଡର୍ସ ଦୁଇ ଥର ଆଇପିଏଲ ଚାମ୍ପିୟନ ହୋଇଛି । କ୍ରିକେଟ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।