ନୂଆଦିଲ୍ଲୀ:ପୁଣି ଏକ 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ସଂସ୍କରଣର ଫାଇନାଲ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଭାବୀ ପ୍ରଦର୍ଶନର ପରମ୍ପରା ବଜାୟ ରଖିଛନ୍ତି ୟଶ ଧୂଲ୍ଙ୍କ ଟିମ । COVID-19 ସଂକ୍ରମଣର ଶିକାର ହେବା ସତ୍ତ୍ବେ ବିଜୟୀ ପ୍ରଦର୍ଶନ ସହ ଆଉ ଏକ ବିଶ୍ବକପ ଟାଇଟେଲ ହାତେଇବାକୁ ଲକ୍ଷ୍ୟ ରହିଛି ଭାରତ ।
ୟଶ ଧୂଲ୍ଙ୍କ ନେତୃତାଧୀନ ଭାରତୀୟ ଟିମ ଗତ ବୁଧବାର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୯୬ ରନ୍ରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି । ଶନିବାର ଇଂଲଣ୍ଡ ସହ ଟିମ ଇଣ୍ଡିଆର ଫାଇନାଲ ଫାଇଟ୍ ରହିଛି । ଶନିବାରର ମୁକାବିଲା ଭାରତ ପାଇଁ କ୍ରମାଗତ ଚତୁର୍ଥ ୧୯ ବର୍ଷରୁ କମ ବିଶ୍ବକପ ଫାଇନାଲ ହେବ । ପଞ୍ଚମ ଥର ପାଇଁ ବିଶ୍ବକପ ଟ୍ରଫି ଜିତିବା ଲକ୍ଷ୍ୟରେ ଆଣ୍ଟିଗୁଆର ସାର୍ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ପହଞ୍ଚିବ ଭାରତ । ତେବେ ଏହି ସଂସ୍କରଣର ଫାଇନାଲ ପର୍ଯ୍ୟନ୍ତ ଭାରତୀୟ ଟିମର ଯାତ୍ରା ସହଜ ନଥିଲା ।
ଟିମର ଏକାଧିକ ଖେଳାଳି କୋଭିଡ ସଂକ୍ରମିତ ହେବା ପରେ ଚୁଡାନ୍ତ ଏକାଦଶ ଚୟନ କରିବା କଷ୍ଟକର ଥିଲା । ମାତ୍ର କିଛି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତୀୟ ଟିମ ପୂର୍ବାପେକ୍ଷା ଅଧିକ ଦୃଢ ମନୋଭାବ ସହ ପ୍ରଦର୍ଶନ କରିଥିଲା । ଭାରତୀୟ ଟିମ ନିଜର ମଜବୁତ ବେଞ୍ଚ୍ ଷ୍ଟ୍ରେନ୍ଥ୍କୁ ପ୍ରମାଣିତ କରିବା ସହ ଟୁର୍ଣ୍ଣାମେଣ୍ଟରେ ଏଯାବତ ଅପରାଜେୟ ରହିଛି ।
ଏହାମଧ୍ୟ ପଢନ୍ତୁ: ICC U19 World Cup: ଆଜି ଭାରତ-ଇଂଲଣ୍ଡ ଫାଇନାଲ ଟକ୍କର
ଚଳିତ ବିଶ୍ବକପ ଟୁର୍ନାମେଣ୍ଟ ଭାରତ ପାଇଁ ଦମଦାର ୫୫.୬୦ ଆଭରେଜରେ ୨୭୮ ରନ୍ ସହ ଓପନର ଅଙ୍ଗକ୍ରୀଷ ରଘୁବଂଶୀ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳି ରହିଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଉଗାଣ୍ଡା ବିପକ୍ଷରେ ୧୪୪ ରନ୍ର ମାରାଥନ ଇଂନିସ ଏଥିରେ ସାମିଲ ରହିଛି । ଅନ୍ୟପଟେ ବାମହାତୀ ସ୍ପିନର ଭିକି ଓସ୍ତୱାଲ ୧୦ୟ୭୫ ଆଭରେଜରେ ୧୨ଟି ୱିକେଟ ସହ ଟିମ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି ।
ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିପ୭ରେ ଓସ୍ତୱାଲ ୨୮ ରନରେ ୫ ୱିକେଟ ହାସଲ କରି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେହିପରି ରାଜ ବାୱା ଭାରତ ପାଇଁ ଏହି ଟୁର୍ନାମେଣ୍ଟରେ ପ୍ରମୁଖ ମ୍ୟାଚ୍ ବିଜେତା ଖେଳାଳି ହୋଇଛନ୍ତି । ସେ ଉଗାଣ୍ଡା ବିପକ୍ଷରେ ୧୬୨ ରନ୍ର ଇଂନିସ ସମେତ ଟୁର୍ନାମେଣ୍ଟରେ ଏଯାବତ ୨୧୭ ରନ୍ ସଂଗ୍ରହ କରିସାରିଛନ୍ତି ।
ଭାରତର ଫାଇନାଲ ଯାତ୍ରା ଉପରେ ନଜର ପକାନ୍ତୁ:
ମ୍ୟାଚ୍ ୧ ବନାମ ଦକ୍ଷିଣ ଆଫ୍ରିକା
ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲା ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି କ୍ୟାପଟେନ ୟଶ ଧୂଲଙ୍କ ଧୈର୍ଯ୍ୟପୂର୍ଣ୍ଣ ୮୨ ରନ୍ ବଳରେ ୨୩୨ ରନ୍ ସଂଗ୍ରହ କରିଥିଲା ଭାରତ । ଏହାପରେ ଦକ୍ଷିଣ ଆଫ୍ରିକା ଟିମ ମାତ୍ର ୧୮୭ ରନ୍ର ସୀମିତ ରହିଥିଲା । ଓସ୍ତୱାଲ ୫ଟି ଓ ଦ୍ରୁତ ବୋଲର ରାଜ ଅଙ୍ଗଦ ବାୱା ୪ଟି ୱିକେଟ ହାତେଇଥିଲେ ।