ଲଣ୍ଡନ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲ ପଡି଼ଆରେ ଆରମ୍ଭ ହେବ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି । ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟର ସ୍ବାଦ ଚାଖିଛି ଇଂଲଣ୍ଡ ଦଳ । ତୃତୀୟ ଟେଷ୍ଟ ମ୍ୟାଚରେ ଭାରତର ଦୟନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ପ୍ରଥମ ଇନିଂସରେ ଭାରତ କେବଳ ୭୬ କରି ଅଲଆଉଟ ହୋଇଥିଲା ।
ଜବାବରେ ଇଂଲଣ୍ଡ ଦଳର 432 ରନ୍ କରି ୩୫୬ ରନ୍ ଲିଡ ନେଇଥିଲା । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ଓ ଡେବିଡ ମଲାନ ୭୦ ରନ କରିଥିଲେ । ଭାରତୀୟ ବୋଲରଙ୍କୁ ଅତି ସହଜରେ ରୁଟ ଖେଳୁଥିବା ଦେଖାଇ ଯାଇଥିଲା । ଏହାକୁ ନେଇ ଭାରତୀୟ ବୋଲର ରୁଟଙ୍କ ପାଇଁ ନିଶ୍ଚୟ କିଛି ହୋମୱାର୍କ କରି ଆସିବେ ବୋଲି ଆଶା କରାଯାଉଛି । ସେପଟେ ଚତୁର୍ଥ ଟେଷ୍ଟ ପାଇଁ ଦଳରେ ରବି ଚନ୍ଦ୍ରନ ଅଶ୍ବିନଙ୍କୁ ସାମିଲ କରାଯାଇପାରେ । ତାଙ୍କ ବଦଳରେ ଇଶାନ୍ତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ ।
ତୃତୀୟ ଟେଷ୍ଟ ମ୍ୟାଚରେ ଇଶାନ୍ତ ଶର୍ମା କ୍ଲାନ୍ତ ମନେ ହେଉଥିଲେ । ଚତୁର୍ଥ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ବଦଳିବା ନେଇ ମଧ୍ୟ ବିରାଟ କୋହଲି ସୂଚନା ଦେଇ ସାରିଛନ୍ତି । ତେବେ କେଉଁ ବୋଲର କିମ୍ବା କେଉଁ ବ୍ଯାଟସମ୍ୟାନଙ୍କୁ ବିଶ୍ରାମ ଦିଆଯିବ ବା ଦଳରେ ସାମିଲ କରାଯିବ ତାହାକୁ ନେଇ ନାନା ଆଲୋଚନା କରୁଛନ୍ତି କ୍ରିକେଟ ସମୀକ୍ଷକ । ଓଭାଲ ଟେଷ୍ଟ ମ୍ୟାଚ ପୂର୍ବରୁ ବିରାଟ କୋହଲିଙ୍କୁ ନେଇ ଇଂଲଣ୍ଡର କ୍ରିକେଟର ଓ ପୂର୍ବତନ କ୍ରିକେଟର ନାନା ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଯାହାର ପ୍ରଭାବ ପଡ଼ିଆରେ ଦେଖିବାକୁ ମିଳିପାରେ । କେହି କୋହିଲଙ୍କ ଟେକ୍ନିକ ଉପରେ ପ୍ରଶ୍ନ ଉଠାଇଥିଲେ ତ କେହି ବିରାଟ କୋହଲିଙ୍କ ଟେଷ୍ଟ ମ୍ୟାଚ ଖେଳିବା ତରିକା ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ ଏହାର କୋହଲି କିଭଳି ଦେଉଛନ୍ତି ତାହା ଦେଖିବା ରୋମାଞ୍ଚକର ହେବ ।