ଇସଲାମାବାଦ:ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ଦାୟିତ୍ବ ନେଇ ପାରନ୍ତି ପୂର୍ବତନ କ୍ରିକେଟର ରମିଜ ରାଜା । ବର୍ତ୍ତମାନ ଏହି ଗୁରୁ ଦାୟିତ୍ବରେ ଏହସାନ ମନି ରହିଛନ୍ତି । ତେବେ ଏହସାନଙ୍କ ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଆଗାମୀ ଦିନରେ ଏହି ଦାୟିତ୍ବ ରମିଜ ରାଜାଙ୍କୁ ଦିଆଯାଇପାରେ ବୋଲି ଆଲୋଚନା ହେଉଛି । ତେବେ ଏହାକୁ ନେଇ ବିଧିବଦ୍ଧ ଭାବରେ କୌଣସି ଘୋଷଣା କରାଯାଇନାହିଁ ।
ସେପ୍ଟେମ୍ବର ୧୮ ତାରିଖରେ ଏହସାନ ମନିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ରମିଜ ରାଜାଙ୍କ ଉପରେ ଏହି ଦାୟିତ୍ବ ନ୍ୟସ୍ତ ହୋଇପାରେ । ଏହାକୁ ନେଇ ପାକିସ୍ତାନର ଜଣାଶୁଣା ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ଏହସାନ ମନିଙ୍କ କାର୍ଯ୍ୟକାଳ ବୃଦ୍ଧି ହେବାର ସମ୍ଭାବନା କମ ରହିଛି । ତାଙ୍କ କାର୍ଯ୍ୟ ଶୈଳୀକୁ ନେଇ ପୂର୍ବରୁ ଅନେକ ଅଭିଯୋଗ ଆସିଥିଲା । ଟିମ୍ ଚୟନ ହେଉ କି ଟିମର ଅନ୍ୟ କୌଣସି ନିଷ୍ପତ୍ତିକୁ ନେଇ ବୋର୍ଡର ଅନ୍ୟ ସଦସ୍ୟମାନେ ଏହସାନଙ୍କ ଉପରେ ଅସନ୍ତୋଷ ଜାହିର କରିଥିଲେ ।