ନୂଆଦିଲ୍ଲୀ:କ୍ରିକେଟ ମଇଦାନରେ ଯାଦୁ ଦେଖାଇବା ପରେ ଏବେ ନିଜ କଣ୍ଠର ଯାଦୁରେ ଫ୍ୟାନ୍ସଙ୍କ ହୃଦୟ ଜିତିଲେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ଝିଅ ଗ୍ରାସିଆ ପାଇଁ ଗୀତ ଗାଇଲେ ରାଇନା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ଷ୍ଟୁଡିଓରେ ବସି ଗୀତ ଗାଉଥିବାର ଦେଖିବାକୁ ମିଳିଛି । ତେବେ ପୂର୍ବରୁ ମଧ୍ୟ ରାଇନା ଗୀତ ଗାଉଥିବାର ଅନେକ ଭିଡିଓ ସାମ୍ନାକୁ ଆସିଛି । ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓଟି ଗତ 2018ରେ ରେକର୍ଡ କରାଯାଇଥିଲା ।
କ୍ରିକେଟର ସୁରେଶ ରାଇନା ଏହି ଭିଡିଓଟିକୁ ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନରେ ରାଇନା ଲେଖିଛନ୍ତି ଯେ 'ଏହି ଗୀତ ମୋତେ ସବୁବେଳେ ଖୁସି ଦେଇଥାଏ, ଏହା ମୋ ହୃଦୟରେ ସର୍ବଦା ସ୍ୱତନ୍ତ୍ର ହୋଇ ରହିବ'। 2018ରେ ରାଇନା 'ବିଟିୟା ରାନୀ' ଗୀତ ରେକର୍ଡ କରିଥିଲେ । ସେହି ସମୟରେ ରାଇନାଙ୍କ ଏହି ଗୀତଟି ଭାଇରାଲ ହୋଇଥିଲା । ସେ ତାଙ୍କ ଝିଅ ପାଇଁ ଏହି ଗୀତଟିକୁ ଗାଇଥିଲେ। ବହୁ କ୍ରିକେଟର ମଧ୍ୟ ସେହି ସମୟରେ ଏହି ଭିଡିଓରେ ରାଇନାଙ୍କୁ ଭଲ କମେଣ୍ଟ ମଧ୍ୟ କରିଥିଲେ । ଭିଡିଓଟି ରାଇନାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି । ଖବର ଲେଖା ହେବା ସୁଦ୍ଧା 7 ହଜାରରୁ ଊର୍ଦ୍ଧ୍ବ ୟୁଜର୍ସ ଭିଡିଓଟିକୁ ଲାଇକ କରିଥିବା ବେଳେ ଦେଢ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଏହାକୁ ଦେଖି ସାରିଲେଣି ।