ହାଇଦ୍ରାବାଦ: ଆରପାରିରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ବିଶନ ସିଂହ ବେଦୀ । ୭୭ ବର୍ଷ ବୟସରେ ସୋମବାର ତାଙ୍କର ପରଲୋକ ଘଟିଛି । ୧୯୭୦ ଦଶକରେ ବିଶ୍ବ କ୍ରିକେଟ୍ରେ ଏହି କିମ୍ବଦନ୍ତୀ ସ୍ପିନରଙ୍କର ବେଶ ଦବଦବା ରହିଥିଲା । ଭାରତୀୟ ଟିମର ପ୍ରତିନିଧିତ୍ବ କରୁଥିବା ବିଶନ ସିଂହ ବେଦୀ ନିଜ ସ୍ପିନର ବୋଲିଂରେ ବିପକ୍ଷ ଦଳର ବ୍ୟାଟର୍ମାନଙ୍କୁ ଅଡୁଆରେ ପକାଉଥିଲେ । ୧୯୯୦ରେ ସେ ଟିମ୍ ଇଣ୍ଡିଆର ମ୍ୟାନେଜର ମଧ୍ୟ ରହିଥିଲେ । ଭାରତୀୟ ଦଳର ଜାତୀୟ ଚୟନକର୍ତ୍ତା ସହ ଅନେକ କ୍ରିକେଟରଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେିଥିଲେ ବିଶନ ସିଂହ ବେଦୀ । ଆଜି ତାଙ୍କ ପରଲୋକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
ବିଶନ ସିଂହ ବେଦୀ ୧୯୪୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ବାମହାତୀ ଚତୁର ସ୍ପିନର ଭାବେ ବିଶ୍ବ କ୍ରିକେଟ୍ରେ ବେଶ ପରିଚିତ ଥିଲେ । ସେ ୧୯୬୬ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେଭ୍ୟୁ କରି ୧୯୭୭ ପର୍ଯ୍ୟନ୍ତ ଭାରତୀୟ ଦଳରେ କ୍ରିକେଟ୍ ଖେଳିଥିଲେ । ଏହା ଭିତରେ ସେ ୨୨ଟି ଟେଷ୍ଟ୍ ମ୍ୟାଚରେ ଭାରତ ପାଇଁ ଅଧିନାୟକ ମଧ୍ୟ ରହିଥିଲେ । ଅନେକ ସମୟରେ ସେ ଏକାକୀ ଭାରତକୁ ବହୁ ମ୍ୟାଚ୍ ଜିତାଇଛନ୍ତି । ନିଜର କ୍ୟାରିୟର ଭିତରେ ବିଶନ ସିଂହ ବେଦୀ ୬୭ଟି ଟେଷ୍ଟ ମ୍ୟାଚ୍ ଖେଳି ୨୬୬ଟି ୱିକେଟ୍ ଅକ୍ତିଆର କରିଥିଲେ । ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୫୬୦ ୱିକେଟ୍ ହାସଲ କରିଥିଲେ । ତେବେ ପଞ୍ଜାବରୁ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିବା ଏହି କିମ୍ବଦନ୍ତୀ କ୍ରିକେଟର ଜଣକ ଭାରତୀୟ ଟିମ୍ ସହିତ ଦିଲ୍ଲୀ ଟିମ୍ ତରଫରୁ ଘରୋଇ କ୍ରିକେଟ୍ ମଧ୍ୟ ଖେଳିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୧୨ ବର୍ଷ ଧରି ବେଶ ଦବଦବା ରଖିଥିଲେ ।