ହାଇଦ୍ରାବାଦ: ଭାରତୀୟ ମହିଳା ଦଳର ମେରୁଦଣ୍ଡ କୁହାଯାଉଥିବା ମିତାଲି ରାଜ ଆଜି କ୍ରିକେଟର ସମସ୍ତ ଫର୍ମାଟକୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଗତ ୨୩ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିଲେ ମିତାଲି ରାଜ । ତେବେ ବୁଧବାର ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହି ଜୀବନର ସେକେଣ୍ଡ ଇନିଂସ ଆରମ୍ଭ କରିବେ ବୋଲି କହିଛନ୍ତି ।
ବୁଧବାର ମିତାଲି ଟ୍ବିଟ୍ କରି କହିଛନ୍ତି ଯେ, "ଖୁବ କମ୍ ବୟସରୁ ଭାରତୀୟ ଦଳର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଲା । ଏହାଠୁ ବଡ଼ ସମ୍ମାନ ମୋ ପାଇଁ ଆଉ କିଛି ହେବ ନାହିଁ । ୨୩ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରାରେ ଅନେକ ଚ୍ୟାଲେଞ୍ଜ ଓ ଉପଭୋଗ କଲାଭଳି ସ୍ଥିତି ଦେଖିବାକୁ ମିଳିଲା । କିନ୍ତୁ ସବୁ ଯାତ୍ରା ଭଳି ଏହି ଯାତ୍ରାକୁ ଶେଷ କରିବାର ସମୟ ଆସିଛି । ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରୁଛି ।"
ଏହାପରେ ମିତାଲିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପୂର୍ବତନ କ୍ରିକେଟର ସୁରେଶ ରାଇନା ଟ୍ବିଟ୍ କରି କହିଛନ୍ତି ଯେ, "ମିତାଲି ରାଜ ଅନେକଙ୍କ ପାଇଁ ପ୍ରେରଣା । ଏଭଳି ଏକ କ୍ୟାରିଅର ନେଇ ଭାରତୀୟ କ୍ରିକେଟ ପ୍ରତି ତାଙ୍କ ଅବଦାନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଏହାପରେ ତୁମେ ଯାହା ବି କରିବ ସେଥିରେ ମଧ୍ୟ ସଫଳ ହୁଅ ବୋଲି କାମନା କରୁଛି ।"