ଓଡିଶା

odisha

By

Published : Jul 4, 2023, 10:38 PM IST

ETV Bharat / sports

ଅଗରକର ବାଛିବେ ଟିମ୍ ଇଣ୍ଡିଆ ଖେଳାଳି, ପଦ ବଜାୟ ରଖିଲେ ଶିବସୁନ୍ଦର

ବହୁ କଳ୍ପନା ଜଳ୍ପନା ପରେ ପୂର୍ବତନ ଭାରତୀୟ କ୍ରିକେଟର ଅଜିତ ଅଗରକରଙ୍କୁ ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି । ଅଧିକ ପଢ଼ନ୍ତୁ

ଅଜିତ ଅଗରକର ହେଲେ ମୁଖ୍ୟ ଚୟନକର୍ତ୍ତା
ଅଜିତ ଅଗରକର ହେଲେ ମୁଖ୍ୟ ଚୟନକର୍ତ୍ତା

ମୁମ୍ବାଇ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକରଙ୍କୁ ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି । ସେହିପରି ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରତଙ୍କୁ ମଧ୍ୟ ବିସିସିଆଇ ଚୟନ କମିଟିରେ ସାମିଲ କରାଯାଇଛି । ତେବେ ପୂର୍ବରୁ ଚୟନ କମିଟିରେ ଥିବା ଶିବସୁନ୍ଦର ଦାସ ଓ ସୁବ୍ରତ ବାନାର୍ଜୀ ନିଜର ପଦ ବଜାୟ ରଖିଛନ୍ତି ।

ତେବେ ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକରଙ୍କ ନିଯୁକ୍ତି ଏକପ୍ରକାର ନିଶ୍ଚିତ ଥିଲା । କାରଣ ଏହି ଦୌଡ଼ରେ ସେ ଏକମାତ୍ର ଦାବିଦାର ଥିଲେ । ଏହି ପଦ ପାଇଁ ସାକ୍ଷାତକାର ବେଳେ ସେ ହିଁ ଏକମାତ୍ର ପ୍ରାର୍ଥୀ ଭାବେ ଉପସ୍ଥିତ ହୋଇଥିଲେ । ଏହା ପୂର୍ବରୁ ଅଗରକର ଆଇପିଏଲ୍‌ର ଦିଲ୍ଲୀ କ୍ୟାପିଟାଲ୍ସ ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ । ଯାହାପରେ ସେ ଏହି ପଦରେ ରହିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପୂର୍ବରୁ ମଧ୍ୟ ୨୦୨୧ରେ ଅଗରକର ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ସାକ୍ଷାତକାର ଦେଇଥିଲେ । ସେ ପୂର୍ବରୁ କନିଷ୍ଠ ଚୟନ ସମିତିରେ ୪ ବର୍ଷ କାର୍ଯ୍ୟ କରି ସାରିଛନ୍ତି । ସେ ଭାରତ ପାଇଁ ୧୯୧ ଦିନିକିଆ ମ୍ୟାଚ୍‌, ୨୬ ଟେଷ୍ଟ ମ୍ୟାଚ୍‌ ଓ ୪ ଟି୨୦ ମ୍ୟାଚ୍‌ ଖେଳିଛନ୍ତି । ଏଭଳି ଅଭିଜ୍ଞତା ଥିବା ସତ୍ତ୍ବେ ସେତେବେଳେ ସାକ୍ଷାତକାର ସମୟରେ ମୁମ୍ବାଇ କ୍ରିକେଟ ସଙ୍ଘ ସହିତ ତାଙ୍କର ସମ୍ପର୍କ ଭଲ ନଥିବାରୁ ବିସିସିଆଇ ସାକ୍ଷାତକାରରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା ।

ଅନ୍ୟପଟେ ଦିଲ୍ଲୀପ ଭେଙ୍ଗସରକାର ଓ ରବି ଶାସ୍ତ୍ରୀଙ୍କ ନାଁ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ପାଇଁ ଚର୍ଚ୍ଚାରେ ରହିଥିଲା । ଉଭୟଙ୍କ ପାଖରେ ଆବଶ୍ୟକ ଅଭିଜ୍ଞତା ରହିଥିଲେ ମଧ୍ୟ ସେମାନେ ଏହି ପଦବୀ ପାଇଁ ଆବେଦନ କରିନଥିଲେ । ପୂର୍ବରୁ ଭେଙ୍ଗସରକାର ମଧ୍ୟ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ । ତେବେ ପ୍ରଥମେ ଟି୨୦ ବିଶ୍ବକପ ପରାଜୟ ପରେ ଚେତନ ଶର୍ମାଙ୍କ ସମେତ ସମଗ୍ର ଚୟନ ସମିତିକୁ ଭଙ୍ଗ କରିଥିଲା ବିସିସିଆଇ । ହେଲେ ନୂଆ ଚୟନ କମିଟି ଗଠନ ହୋଇନଥିବାରୁ ଚେତନ ଶର୍ମା ନିଜ ପଦରେ ରହିଥିଲେ । ଏହାପରେ ଫେବୃଆରୀ ମାସରେ ଏକ ଷ୍ଟିଙ୍ଗ୍‌ ଅପରେସନ୍‌ରେ ବିସିସିଆଇ ଓ ଭାରତୀୟ କ୍ରିକେଟ୍‌ ଦଳର ଭିତିରି କଥା ସେ ମିଡିଆରେ ପ୍ରକାଶ କରିଥିଲେ । ଏହି ଷ୍ଟିଙ୍ଗ୍ ଅପରେସନ୍ ପରେ ଚେତନ ଶର୍ମାଙ୍କୁ ନିଜ ପଦ ଛାଡ଼ିବାକୁ ପଡ଼ିଥିଲା ଏବଂ ସେବେଠାରୁ ଶିବ ସୁନ୍ଦର ଦାସ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ବ ତୁଲାଉଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ମହିଳା କ୍ରିକେଟ ଦଳକୁ ମିଳିବେ ନୂଆ କୋଚ, ଜାଣନ୍ତୁ କିଏ ନେବେ ଗୁରୁ ଦାୟିତ୍ବ
ଏହା ମଧ୍ୟ ପଢ଼ନ୍ତୁ...ଅଗରକର ହେବେ BCCI ମୁଖ୍ୟ ଚୟନକର୍ତ୍ତା ! ଦିଲ୍ଲୀ କ୍ୟାପିଟାଲ୍ସରୁ ଦେଲେ ଇସ୍ତଫା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details