ଟରୌବା: ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଆଜିଠୁ (ଶୁକ୍ରବାର) ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । ତ୍ରିନିଦାଦ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ । ଘରୋଇ ଦଳ ବିପକ୍ଷରେ ଦିନିକିଆ ସିରିଜ କ୍ଲିନ ସୁଇପ କଲା ପରେ ଦୃଢ ମନୋବଳରେ ରହିଛି ଭାରତ । ରୋହିତ ଶର୍ମାଙ୍କ ନେତୃତ୍ବରେ ପ୍ରଥମ ଟି-ଟ୍ବେଣ୍ଟି ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ସେପଟେ ଦିନିକିଆରେ କରିଥିବା ତ୍ରୁଟିକୁ ସୁଧାରି ଟି-ଟ୍ବେଣ୍ଟିରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଘରୋଇ ଦଳ ।
ରୋହିତ ଶର୍ମା ଓ ଋଷବ ପନ୍ତ ଓପନିଂ କରିବେ । 5ଟି ମ୍ୟାଚ ବିଶିଷ୍ଟ ସିରିଜରେ ଷ୍ଟାର ବ୍ୟାଟର ବିରାଟ କୋହଲି, ପେସ ବୋଲର ଯଶପ୍ରୀତ ବୁମରା, ଯୁଝବେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ ନାହିଁ । ଚହଲ କେବଳ ଦିନିକିଆ ଦଳରେ ସାମିଲ ଥିଲେ । ତାଙ୍କ ସ୍ଥାନରେ ଅଶ୍ବିନୀ ଓ କୁଲଦୀପ ଯାଦବ ସାମିଲ ହୋଇଛନ୍ତି । କୋହଲି ବୁମରା ୱେଷ୍ଟଇଣ୍ଡିଜ ସିରିଜରୁ ବାଦ ପଡିଛନ୍ତି । ଦିନିକିଆରେ ଧାୱନ ଦଳର ନେତୃତ୍ବ ନେଇଥିଲେ ଟି-ଟ୍ବେଣ୍ଟିରେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ସାମିଲ ହୋଇଛନ୍ତି । ଲୋକେଶ ରାହୁଲ କୋରୋନା ସଂକ୍ରମିତ ଥିବାରୁ ଟି-ଟ୍ବେଣ୍ଟିରୁ ବାଦ ପଡିଛନ୍ତି । ଭାରତର ଯୁବ ଖେଳାଳିଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଛି । ଦିନିକିଆରେ କରିଥିବା ପ୍ରଦର୍ଶନକୁ ଆଜି ଦୋହରାଇବ ଦଳ । ଏହା ସହ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।