ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) କୁ ଏକ ଆବେଗପୂର୍ଣ୍ଣ ବାର୍ତ୍ତାରେ ଧନ୍ୟବାଦ ଜଣାଇଛନ୍ତି ଟିମ ଇଣ୍ଡିଆ ଫିଲ୍ଡିଂ କୋଚ୍ ରାମକ୍ରୀଷ୍ଣନ୍ ଶ୍ରୀଧର । ICC ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପରେ ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ସେଥିପାଇଁ ଜାତୀୟ ଟିମର ସେବା କରିବାକୁ ସୁଯୋଗ ପ୍ରଦାନ କରିଥିବାରୁ BCCI କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀଧର ।
UAEରେ ମେଗା ଟି-୨୦ ବିଶ୍ବକପ ଶେଷହେବା ସହିତ ମେନ ଇନ୍ ବ୍ଲୁ କ୍ୟାମ୍ପ୍ରେ ଫିଲ୍ଡିଂ କୋଚ୍ ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ ସେ ବୋର୍ଡକୁ ଧନ୍ୟବାଦ ଜଣାଇଛନ୍ତି ।
ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଟିମ ଅଭ୍ୟାସ ଆରମ୍ଭ କରିସାରିଛି । ଏହି ଅଭ୍ୟାସ ସେସନ ଶ୍ରୀଧରଙ୍କ ପାଇଁ ଟିମ ସହିତ ଶେଷ ଅଭ୍ୟାସ ସେସନ ହୋଇଛି । ସେଥିପାଇଁ ଶ୍ରୀଧର ଇନଷ୍ଟ୍ରାଗ୍ରାମରେ ଲେଖିଛନ୍ତି " ଭାରତୀୟ କ୍ରିକେଟର ଟିମର ଫିଲ୍ଡିଂ କୋଚ୍ ଭାବେ ମୋର ଶେଷ କାର୍ଯ୍ୟଭାର ଟୁର୍ଣ୍ଣାମେଣ୍ଟ । ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ସେବା କରିବାକୁ ସୁଯୋଗ ମିଳିଥିବାରୁ BCCIକୁ ଅନେକ ଧନ୍ୟବାଦ । ମୋର ବିଶ୍ବାସ ଯେ ମୁଁ ମୋର କାର୍ଯ୍ୟ ଆନ୍ତରିକତା, ପ୍ରତିବଦ୍ଧତା ଏବଂ ମୋର ଦକ୍ଷତା ଅନୁଯାୟୀ ସମ୍ପନ୍ନ କରିଛି ।"