ହାଇଦ୍ରାବାଦ:ଆଉ କିଛି ସମୟ ପରେ ଏସିଆ କପର (Asia Cup 2022) ସୁପର ଫୋର୍ ରାଉଣ୍ଡରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ (India Vs Pakistan) । ସୁପର ଫର ରାଉଣ୍ଡରେ ଉଭୟ ଦଳ ନିଜର ବିଜୟ ଅଭିଯାନ ପାଇଁ ଅପ୍ରାଣ ଉଦ୍ୟମ କରିବେ । ସେପଟେ ବିଶ୍ବର କ୍ରିକେଟ ପ୍ରେମୀଙ୍କର ନଜର ରହିଛି ଆଜିର ସୁପର ସଣ୍ଡେରେ ସୁପର ଫୋର ମ୍ୟାଚ୍ ଉପରେ । ଗତ ଅଗଷ୍ଟ ୨୮ ତାରିଖରେ (ରବିବାର) ଉଭୟ ପାରମ୍ପରିକ ପ୍ରତିଦ୍ବନ୍ଦୀ ମୁହାଁମୁହିଁ ହୋଇଥିଲେ ତେବେ ଆଜି ସନ୍ଧ୍ୟାରେ ପୁଣି ଥରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ତେବେ ଦର୍ଶକ ଆଜିର ହାଇଭୋଲଟେଜ ମ୍ୟାଚ୍ ଅପେକ୍ଷାରେ ରହିଛନ୍ତି ।
ଲିଗ ମ୍ୟାଚ୍ରେ ହଂକଂ ଏବଂ ପାକିସ୍ତାନକୁ ହରାଇ ଭାରତ ସୁପର ଫୋର ଟେବୁଲ ପଏଣ୍ଟରେ ଶୀର୍ଷରେ ରହିଛି । ତେବେ ଆଜିର ମ୍ୟାଚ୍ରେ ପାକିସ୍ତାନକୁ ହରାଇବାର ରଣକୌଶଳ ପ୍ରସ୍ତୁତ କରି ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ତେବେ ଚୁଡାନ୍ତ ଏକାଦଶ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ଭରସାଯୋଗ୍ୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଏସିଆ କପରୁ ବାଦ ପଡି ଦଳକୁ ପ୍ରଥମ ଝଟକା ଦେଇଛନ୍ତି ।
ଜାଡେଜାଙ୍କ ସ୍ଥାନରେ ଏସିଆ କପ୍ ସ୍କ୍ବାଡରେ ସ୍ଥାନ ପାଇଛନ୍ତି ଅକ୍ଷର ପଟେଲ । ସେହିପରି ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କ ମଧ୍ୟରୁ କାହାକୁ ସ୍ଥାନ ଦିଆଯିବ ସେନେଇ ଦ୍ବନ୍ଦ୍ବରେ ଦଳ । ଭାରତ ଓ ପାକିସ୍ତାନର ପ୍ରଥମ ମ୍ୟାଚ୍ର ସ୍ଥିତିକୁ ଦେଖି ଚୁଡାନ୍ତ ନିଷ୍ପତି ହେବ । କାରଣ ପାକିସ୍ତାନର ବ୍ୟାଟିଂ ଅପେକ୍ଷା ବୋଲିଂ ଅଧିକ ଫର୍ମରେ ରହିଛି ।