ହାଇଦ୍ରାବାଦ: ସେମିଫାଇନାଲ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ ଝଟକା । ଇଂଲିସ୍ ଟିମର ଷ୍ଟାର ବ୍ୟାଟର ଡେଭିଡ ମଲାନ ସେମିଫାଇନାଲରେ ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଡେଭିଡ ମଲାନ ଆହତ ହୋଇଥିଲେ । ତେଣୁ ସେମିଫାଇନାଲରେ ଖେଲିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସେପଟେ ଡେଭିଡ ମଲାନ ସେମିରେ ନ ଖେଳିବା ଖବର ଭାରତକୁ ଆଶ୍ବସ୍ତି ଦେଇଛି ।
ନଭେମ୍ବର ୧୦ ତାରିଖରେ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ । ଇଂଲଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଇଂରାଜୀ କ୍ରିକେଟର ଜବରଦସ୍ତ ଫର୍ମରେ ଥିବା ବେଳେ ଦଳ ମଧ୍ୟ ଦମଦାର ପ୍ରଦର୍ଶନ କରିଥିବା ନଜିର ରହିଛି । ତେବେ ସେମିଫାନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲିସ ଟିମର ଏହି ଷ୍ଟାର ବ୍ୟାଟର ବାଦ ପଡିବା ଖବର ଟିମ୍ ଇଣ୍ଡିଆକୁ ଆଶ୍ବସ୍ତି ପ୍ରଦାନ କରିଛି । ଡେଭିଡ୍ ମଲାନ୍ ଶନିବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତାଙ୍କୁ ଆଘାତ ଲାଗିଥିଲା । ଏନେଇ ଇଂଲଣ୍ଡର ଉପଅଧିନାୟକ ମୋଇନ ଅଲୀ କହିଛନ୍ତି, "ସେଦିନ ମ୍ୟାଚରେ ଆଘାତ କାରଣରୁ ଡେଭିଡ୍ ମଲାନ୍ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଛନ୍ତି । କହିବାକୁ ଗଲେ ସେ ଏପର୍ଯ୍ୟନ୍ତ ଫିଟ୍ ହୋଇନାହାଁନ୍ତି । ସେ ଦଳର ଜଣେ ଷ୍ଟାର ବ୍ୟାଟର । ତାଙ୍କର ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇ ଦେଇଛି ।"