ଲଣ୍ଡନ:ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ମଙ୍ଗଳବାର ଆଗାମୀ ପାକିସ୍ତାନ ବିପକ୍ଷ ସିରିଜ ପାଇଁ 18 ଜଣିଆ ସ୍କ୍ବାଡ ଘୋଷଣା କରିଛି । ପୂର୍ବରୁ 3 ଖେଳାଳିଙ୍କ ସମେତ 4 ଜଣ ମ୍ୟାନେଜମେଣ୍ଟ ଟିମର ସଦସ୍ୟ COVID-19 ପଜିଟିଭ ଜଣାପଡିବା ପରେ ସଂପୂର୍ଣ୍ଣ ଟିମକୁ ଆଇସୋଲେସନରେ ରଖାଯାଇଛି । ଫଳରେ ବୋର୍ଡ ଘୋଷଣା କରିଥିବା ନୂଆ ସ୍କ୍ବାଡରେ 9ଜଣ ନୂଆ ମୁହଁକୁ ସାମିଲ କରିଛି ।
ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସ୍କ୍ବାଡକୁ ଫେରିବା ସହ ଅଧିନାୟକ ଦାୟିତ୍ବ ତୁଲାଇବେ । କ୍ରିସ ସିଲଭରଉଡ ମଧ୍ୟ ବ୍ରେକ ପରେ ମୁଖ୍ୟ କୋଚ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ କୌଣସି ଦିନିକିଆ ମ୍ୟାଚରେ ଅଧିନାୟକତ୍ବ କରିନାହାନ୍ତି । ଫଳରେ ଅଧିନାୟକ ଦାୟିତ୍ବ ଷ୍ଟୋକ୍ସଙ୍କ ପାଇଁ ସମ୍ମାନର କଥା ବୋଲି କହିଛନ୍ତି ଇଂଲଣ୍ଡ ପୁରୁଷ କ୍ରିକେଟର ନିର୍ଦ୍ଦେଶକ ଆସଲେ ଗିଲ୍ସ । ଘରୋଇ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଆଧାରରେ ମଧ୍ୟ ଯୁବ ଖେଳାଳିଙ୍କୁ ସ୍କ୍ବାଡରେ ସାମିଲ କରାଯାଇଛି ଓ ଭଲ ପ୍ରଦର୍ଶନ କରିବେ ବୋଲି ବୋର୍ଡ ଆଶାବାଦୀ ଥିବା ସେ କହିଛନ୍ତି ।