ଲଣ୍ଡନ:ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ପୁରୁଷ ଟିମ ଘରୋଇ ଦଳ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ ଖେଳିବ । ଏକ କାଉଣ୍ଟି ଟିମ ବିପକ୍ଷରେ ଅଭ୍ୟାସ ମ୍ୟାଚର ଆୟୋଜନ ପାଇଁ ବିସିସିଆଇ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଅନୁରୋଧ କରିଥିଲା । ଫଳରେ ଇସିବି ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିବା ଜଣାପଡିଛି ।
ତେବେ କୋଭିଡ ନିୟମ ପାଳନ ସହ ଏକ ତିନିଦିନିଆ ଅଭ୍ୟାସ ମ୍ୟାଚ ଆୟୋଜନ ନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି)ର ଜଣେ କର୍ମଚାରୀ କହିଛନ୍ତି ।
ବର୍ତ୍ତମାନର ସୂଚୀ ଅନୁଯାୟୀ, ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିସାରିବା ପରେ ଭାରତୀୟ ଟିମକୁ ତିନି ସପ୍ତାହ ବ୍ରେକ ମିଳିଛି । ତେବେ ଜୁଲାଇ 15 ସୁଦ୍ଧା ଦୁରହମଠାରେ ଟେଷ୍ଟ ସିରିଜର ପ୍ରସ୍ତୁତି ଆରମ୍ଭ କରିବ ଟିମ ଇଣ୍ଡିଆ । ଅଗଷ୍ଟ 4ରୁ ନଟିଂହାମରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ ଭାରତ । ଅଗଷ୍ଟ ପହିଲାରେ ଭାରତୀୟ ଟିମ ନଟିଂହାମ ଗସ୍ତ କରିବ ।