ନୂଆଦିଲ୍ଲୀ: ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ଶୋକରେ ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ପ୍ରତିଟି ଭାରତୀୟ ଲତା ଦିଦିଙ୍କ ବିୟୋଗରେ ମ୍ରିୟମାଣ । ଏପରିକି ପଡୋଶୀ ଦେଶରୁ ମଧ୍ୟ ଶୋକବାର୍ତ୍ତା ଆସିବାରେ ଲାଗିଛି । ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରି ମଧ୍ୟ ଟ୍ବିଟ୍ କରି ଶୋକବ୍ୟକ୍ତ କରିଛନ୍ତି ।
ଏହି କ୍ରମରେ ପାକିସ୍ତାନ କ୍ରିକେଟ ଟିମର କ୍ୟାପେଟନ ବାବର ଆଜମ ମଧ୍ୟ ଏ ଭାବପୂର୍ଣ୍ଣ ଟ୍ବିଟ୍ କରିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, "ଏହା ଏକ ଯୁଗର ଅନ୍ତ, ତାଙ୍କର ଯାଦୁକରୀ ସ୍ବର ଓ ବ୍ୟକ୍ତିତ୍ବ ବିଶ୍ବବ୍ୟାପୀ ଅଗଣିତ ହୃଦୟରେ ବଞ୍ଚିରହିବ, ସେ ଜଣେ ଅଦ୍ବିତୀୟ ଆଇକନ୍ ।" ଏଥିସହ ଆଜମ କିମ୍ବଦନ୍ତୀ ଗାୟିକାଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଲତା ମଙ୍ଗେସକରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ଯେଉଁଠାରେ କିମ୍ବଦନ୍ତୀ ଗାୟିକା ଚିକିତ୍ସିତ ହେଉଥିଲେ ତଥା ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସଚିନ ସେଠାରେ ପହଞ୍ଚିଥିଲେ ।