ନୂଆଦିଲ୍ଲୀ: ଆସନ୍ତା ଜୁନ ୨୮ରୁ ପ୍ରଥମ ଶ୍ରେଣୀ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଦୁଲୀପ ଟ୍ରଫି ୨୦୨୩ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ମୋଟ ୬ଟି ଜୋନ୍କୁ ନେଇ ଆୟୋଜିତ ହେବାକୁ ଥିବାବେଳେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ କର୍ଣ୍ଣାଟକର ବିଭିନ୍ନ ଗ୍ରାଉଣ୍ଡ୍ରେ ଖେଳାଯିବ । ତେବେ ଆଇପିଏଲ୍ ପରେ ଦୁଲୀପ ଟ୍ରଫି ବହୁ ଯୁବ ତାରକାଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି କୁହାଯାଉଛି । ୨୦୨୩-୨୦୨୫ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ସିଜିନ ଆରମ୍ଭ ପୂର୍ବରୁ ଭାରତୀୟ ଦଳର କିଛି ବରିଷ୍ଠ ଖେଳାଳୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଉଠିଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ସେମାନଙ୍କ ବିକଳ୍ପ ଖୋଜିବାରେ ସହାୟକ ହେବ ବୋଲି କୁହାଯାଉଛି ।
ଦୁଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟଟି ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ଭଳି ଦେଶର ୬ଟି ଜୋନ୍କୁ ନେଇ ଖେଳାଯିବ । ତେବେ ଗତ କିଛି ସିଜନରେ ଘରୋଇ କ୍ରିକେଟ୍ ଓ ଆଇପିଏଲ୍ରେ ଭଲ ପ୍ରଦର୍ଶନ କରୁଥିବା କିଛି ଖେଳାଳିଙ୍କ ଉପରେ ବିସିସିଆଇ ଚୟନକର୍ତ୍ତାଙ୍କ ନଜର ରହିଛି । ଏହାରି ଭିତରେ ବର୍ତ୍ତମାନ ଦୁଲୀପ ଟ୍ରଫି ଆରମ୍ଭ ହୋଇଥିବାରୁ ଏଥିରେ ସେମାନେ ନିଜର ଦକ୍ଷତା ପ୍ରମାଣିତ କରି ଚୟନକର୍ତ୍ତାଙ୍କ ମନ ଜିଣିବା ପାଇଁ ସୁଯୋଗ ପାଇବେ । ଏହି ଟୁର୍ଣ୍ଣାମେଣ୍ଟରୁ ଅନେକ ଯୁବ କ୍ରିକେଟର୍ ଭାରତୀୟ କ୍ରିକେଟ ଦଳରେ ସୁଯୋଗ ପାଇ ପାରିବେ ବୋଲି ଆଶା କରାଯାଉଛି ।
ଦକ୍ଷିଣାଞ୍ଚଳ ଦଳ: ଦକ୍ଷିଣାଞ୍ଚଳ ଦଳର ଅଧିନାୟକ ଭାର ହନୁମା ବିହାରୀଙ୍କ କାନ୍ଧରେ ରହିଥିବା ବେଳେ ମୟଙ୍କ ଅଗ୍ରୱାଲ ଉପଅଧିନାୟକ ଦାୟିତ୍ବ ପାଇଛନ୍ତି । କେଏସ୍ ଭରତଙ୍କ ଭଳି ଟେଷ୍ଟ ଅଭିଜ୍ଞ ୱିକେଟ୍ କିପର୍ ମଧ୍ୟ ରହିଛନ୍ତି । ଏମାନଙ୍କ ବ୍ୟତୀତ ତିଲକ ବର୍ମା, ସାଇ ସୁଦର୍ଶନ ଓ ୱାସିଂଟନ ସୁନ୍ଦରଙ୍କ ଭଳି ଯୁବ ଖେଳାଳୀ ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ତିଲକ ଓ ସାଇ ସୁଦର୍ଶନ ଉଭୟ ବାମହାତି ବ୍ୟାଟର ଓ ମଧ୍ୟକ୍ରମ ପାଇଁ ଯୋଗ୍ୟ ହୋଇଥିବାରୁ ସେମାନଙ୍କୁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ ।
କେନ୍ଦ୍ରାଞ୍ଚଳ ଦଳ: ନୂଆକରି ଶିବମ ମାଭିଙ୍କୁ କେନ୍ଦ୍ରାଞ୍ଚଳ ଦଳର ଅଧିନାୟକ ଭାର ମିଳିଛି । ତେବେ ଏହି ଦଳରେ ମୁଖ୍ୟ ଆକର୍ଷଣ ସାଜିବେ ରିଙ୍କୁ ସିଂହ । ଆଇପିଏଲ୍ ୨୦୨୩ରେ ରିଙ୍କୁ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଖୁବ୍ଶୀଘ୍ର ସେ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି । ଖେଳ ଶେଷ କରିବା ପାଇଁ ଫିନିସର୍ ଭାବେ ଭାରତୀୟ ଦଳକୁ ଜଣେ ବିସ୍ଫୋରକ ବ୍ୟାଟରଙ୍କ ଆବଶ୍ୟକତା ରହିଛି । ସେଥିପାଇଁ ରିଙ୍କୁଙ୍କ ଉପରେ ସମସ୍ତଙ୍କ ନଜର ରହିବ । ରାଜସ୍ଥାନ ରୟାଲ୍ସ ପାଇଁ ମଧ୍ୟ ଆଇପିଏଲ୍ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଧ୍ରୁବ ଜୁରେଲ ମଧ୍ୟ କେନ୍ଦ୍ରାଞ୍ଚଳ ଦଳରେ ରହିଛନ୍ତି । ସେହିଭଳି ଅଭେଶ ଖାନ୍ଙ୍କ ଭଳି ବୋଲର କେନ୍ଦ୍ରାଞ୍ଚଳ ପାଇଁ ବୋଲିଂ ବିଭାଗ ସମ୍ଭାଳିବେ ।