ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରୁ 2021-22 ଘରୋଇ ସିଜିନ ଆରମ୍ଭ କରିବାକୁ ଯୋଜନା କରୁଛି ବିସିସିଆଇ । ପ୍ରଥମେ ସୟଦ ମୁସ୍ତାକ ଅଲୀ ଟ୍ରଫି ପରେ ରଣଜୀ ଟ୍ରଫି ଖେଳାଯିବା ନେଇ ସମୟ ସୂଚୀ ପ୍ରସ୍ତୁତ କରିଛି ବୋର୍ଡ । ଗତବର୍ଷ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟରେ ମେଗା ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଖେଳାଯାଇପାରିନଥିଲା ।
ତେବେ ଦୁଲ୍ଲୀପ ଟ୍ରଫି, ଦେଓଧର ଟ୍ରଫି ଓ ଇରାନୀ କପ କ୍ରିକେଟ ପରିଚାଳନା ଟିମ ଦ୍ବାରା ପ୍ରସ୍ତୁତ ଟୁର୍ଣ୍ଣାମେଣ୍ଟ ସୂଚୀ କ୍ୟାଲେଣ୍ଡରରେ ସ୍ଥାନ ପାଇନାହିଁ । ଏଥିସହ 5ଟି ମହିଳା ପ୍ରତିଯୋଗିତାକୁ ମଧ୍ୟ ବାଦ ଦିଆଯାଇଛି ।
2020-21 ସିଜିନରେ କେବଳ ମୁସ୍ତାକ ଅଲୀ ଟି20 ଫର୍ମାଟରେ ଓ ବିଜୟ ହଜାରେ ଟ୍ରଫି 50 ଓଭର ଫର୍ମାଟରେ ଖେଳାଯାଇଥିଲା । ମହିଳାଙ୍କ ପାଇଁ କେବଳ ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା ।
ଦେଶର କୋଭିଡ-19ର ଦ୍ବିତୀୟ ଲହରର ଭୟବହତା ମଧ୍ୟରେ ବିସିସିଆଇ ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମହିଳା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଶାବାଦୀ ରହିଛି ।
ଅକ୍ଟୋବରରେ ଭାରତରେ ଟି20 ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛନ୍ତି ଅନ୍ୟପଟେ ଆସନ୍ତାବର୍ଷ ଆଇପିଏଲର ମେଗା ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ମୁସ୍ତାକ ଅଲୀ ଟି20 ଓ ନଭେମ୍ବରରେ ବିଜୟ ହଜାରେ ଟ୍ରଫି ପାଇଁ ଯୋଜନା କରୁଛି ବୋର୍ଡ ।
23ବର୍ଷରୁ କମ ପୁରୁଷ ଓ ମହିଳା ପ୍ରତିଯୋଗିତା ଓ 19 ବର୍ଷରୁ କମ ପ୍ରତିଯୋଗିତା ପାଇଁ ମଧ୍ୟ ବିସିସିଆଇର ଶୁଭ ସଙ୍କେତ ରହିଛି । ଏହି ସମସ୍ତ ପ୍ରତିଯୋଗିତା ଗତବର୍ଷ ଖେଳାଯାଇପାରିନଥିଲା ।