ଲଣ୍ଡନ(ୟୁକେ):ଗୋଟିଏ ଟିମରେ ଡେବ୍ୟୁ କରିଛନ୍ତି ଭାରତୀୟ ବ୍ୟାଟ୍ର ଚେତେଶ୍ବର ପୂଜାରା ଓ ପାକିସ୍ତାନ ୱିକେଟ କିପର ବ୍ୟାଟ୍ର ମହମ୍ମଦ ରିଜୱାନ । କାଉଣ୍ଟି କ୍ରିକେଟ ଟିମ ସସେଏକ୍ସ (Sussex) ପକ୍ଷରୁ ଉଭୟ ପୂଜାରା ଓ ରିଜୱାନ ଗୁରୁବାର ଡେବ୍ୟୁ କରିଛନ୍ତି । ଡର୍ବିରେ ଖେଳାଯାଉଥିବା କାଉଣ୍ଟି ଚାମ୍ପିୟନସିପ ଡିଭିଜନ ୨ରେ ଆୟୋଜକ ଡର୍ବିସାୟର ବିପକ୍ଷରେ ସସେଏକ୍ସ ଟିମର ଚୁଡାନ୍ତ ଏକାଦଶରେ ଉଭୟ ଖେଳାଳିଙ୍କୁ ସ୍ଥାନ ମିଳିଛି । ୩୪ ବର୍ଷୀୟ ଭାରତୀୟ ଭେଟେରାନ ଚେତେଶ୍ବର ପୂଜାରା ପୂର୍ବରୁ ଡର୍ବିସାୟର, ୟର୍କସାୟର ଓ ନଟ୍ଟିଂହାମସାୟର ପକ୍ଷରୁ ଖେଳିସାରିଛନ୍ତି । ତେବେ ରିଜୱାନ ପ୍ରଥମ ଥର ପାଇଁ କାଉଣ୍ଟି କ୍ରିକେଟ ଖେଳୁଛନ୍ତି ।
ସସେଏକ୍ସ ଉଭୟ ଖେଳାଳିଙ୍କ ଫଟୋ ଟ୍ବିଟ କରିବା ସହ ଉଭୟ ଖେଳାଳିଙ୍କ ପାଇଁ 'ଡେବ୍ୟୁ ଡେ' ବୋଲି କ୍ୟାପ୍ସନରେ ଲେଖିଛି । ଅନ୍ତର୍ଜାତୀୟ କ୍ରିକେଟରେ ପୂଜାରା ଭାରତ ପାଇଁ ୯୫ଟି ଟେଷ୍ଟ ଖେଳିସାରିଥିବାବେଳେ ୪୩.୮୮ ଆଭରେଜରେ ୬୭୧୩ ରନ୍ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ କ୍ରିକେଟର ଲମ୍ବା ଫର୍ମାଟରେ ୩୨ଟି ଅର୍ଦ୍ଧଶତକ ଓ ୧୮ଟି ଶତକୀୟ ଇଂନିସ ରହିଛି ।