ମୁମ୍ବାଇ:ୱାଙ୍ଖେଡରେ ଛାଇ ଗଲା ଚେନ୍ନାଇ ସୁପର କିଙ୍ଗସ । ଚଳିତ ଆଇପିଏଲ ସଂସ୍କରଣର 12ତମ ମ୍ୟାଚରେ ବିଜୟୀ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ବ୍ୟାଟିଂ ବୋଲିଙ୍ଗ ଓ ଫିଲ୍ଡିଂରେ ଉନ୍ନତ ପ୍ରର୍ଦଶନ କରି ରାଜସ୍ଥାନକୁ 45 ରନରେ ପରାସ୍ତ କରିଛି ଚେନ୍ନାଇ । ଚେନ୍ନାଇକୁ ଜିତାଇବାରେ ମୋଇନ ଅଲ୍ଲୀ ଓ ରବିନ୍ଦ୍ର ଜାଡେଜାଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ ।
ପ୍ରଥମେ ରାଜସ୍ଥାନ ରୟାଲ୍ସ ଟସ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇର ଫାଫ ଡୁ ପ୍ଲେସି ଓ ଗାଏକୱାଡ୍ ପାଳି ଆରମ୍ଭ କରିଥିଲେ । ଗାଏକୱାଡ ମାତ୍ର 10 ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିଲେ ମୋଇନ ଅଲ୍ଲୀ । ଅପରାଜିତ ମୋଇନ ଅଲ୍ଲୀ ଓ ଡୁ ପ୍ଲେସି ଜବରଦସ୍ତ ସଟ ଖେଳି ଦଳୀୟ ସ୍କୋରକୁ 45ରେ ପହଞ୍ଚାଇଥିଲେ । ଡୁ ପ୍ଲେସି 17 ବଲରୁ 4ଟି ଚୌକା ଓ 2ଟି ଛକା ମାରି 33 ରନ କରି ଆଉଟ ହୋଇଥିଲେ । ଏହା ପରେ ମୋଇନ ଓ ସୁରେଶ ରାଇନାଙ୍କ ମଧ୍ୟରେ 33 ରନର ଭାଗିଦାରୀ ହୋଇଥିଲା । ମୋଇନ 26 ରନ କରି ଆଉଟ ହୋଇଥିଲେ । ଏହା ପରେ ପଡିଆକୁ ଆସିଥିଲେ ଅମ୍ବାତି ରାଇଡୁ । ସେ କିଛି ଦର୍ଶକୀୟ ସଟ ଖେଳିଥଲେ । ରୟୁଡୁ 17ଟି ବଲରୁ 27 ରନ କରି ବିଦାୟ ନେଇଥିଲେ । ରାଜସ୍ଥାନ ବୋଲର ପଛକୁ ପଛ ଗୋଟିଏ ପରେ ଗୋଟିଏ ୱିକେଟ ହାତେଇ ଥିଲେ । ଏହା ସହିତ 125 ରନ ବେଳକୁ ସୁପର କିଙ୍ଗସ 5ଟି ୱିକେଟ ହରାଇ ସାରିଥିଲା । ମ୍ୟାଚରେ ଜଣେ ବି କେହି ଅର୍ଦ୍ଧଶତକ ହାସଲ କରିନାହାନ୍ତି । 20 ଓଭରରେ ଚେନ୍ନାଇ 9 ୱିକେଟ ହରାଇ 188 ରନ କରିଥିଲା । ରାଜସ୍ଥାନକୁ 189 ବିଜୟ ଲକ୍ଷ୍ୟ ଦେଇଥିଲା ।