ବେଙ୍ଗାଲୁରୁ:କ୍ରିକେଟର ତଥା ଓ୍ବିକେଟ୍ କିପର କେଏଲ ରାହୁଲଙ୍କ ବଦାନ୍ୟତା । ପାଠପଢିବା ପାଇଁ ଛାତ୍ରୀଙ୍କୁ ଆର୍ଥୀକ ସହାୟତା ପ୍ରଦାନ କଲେ ରାହୁଲ । ସୃଷ୍ଟି କୁଲାବି ନାମକ ଜଣେ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ନିଜ ବଦାନ୍ୟତାର ପରିଚୟ ଦେଇଛନ୍ତି ଏହି ଭାରତୀୟ କ୍ରିକେଟର । ହୁବୁଲିର ଧରଓ୍ବାଡ ସିଦ୍ଧେଶ୍ବର କଲୋନୀର ବାସିନ୍ଦା ହନୁମନ୍ତପ୍ପା ଏବଂ ସୁମିତ୍ରାଙ୍କ ଝିଅ ସୃଷ୍ଟି । ତାଙ୍କର ସ୍ବପ୍ନ ଥିଲା ସେ ଭବିଷ୍ୟତରେ ଜଣେ ଡାକ୍ତର ହେବେ । କିନ୍ତୁ ପରିବାରରେ ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କର ଏହି ସ୍ବପ୍ନ ପୂରଣ କରିବାକୁ ସେ ଅସମର୍ଥ ହୋଇଥିଲେ । ପାଠରେ ଡୋରି ବନ୍ଧା ହେବାକୁ ଥିବା ବେଳେ ଏହି ଛାତ୍ରୀଙ୍କ ପାଠପଢା ଖର୍ଚ୍ଚ ଦାୟିତ୍ବ ନେଇଛନ୍ତି କେଏଲ ରାହୁଲ ।
ସୃଷ୍ଟି ଡାକ୍ତରୀ ପାଠ ପଢିବାକୁ ଇଚ୍ଛା କରିଥିଲେ । କିନ୍ତୁ ଦାରଦ୍ର୍ୟତା କାରଣରୁ ସେ ପାଠ କେମିତି ପଢିବେ ସେନେଇ ଚିନ୍ତାରେ ଥିଲେ। ଏ ସମସ୍ୟା ସମ୍ପର୍କରେ ସୃଷ୍ଟିଙ୍କ ବାପା ଜଣେ ବିଜେପି ନାତା ତଥା ସାମାଜସେବୀ ମଞ୍ଜୁନାଥ ହେବସୁରୁଙ୍କୁ ଅବଗତ କରାଇଥିଲେ । ଏହାପରେ ମଞ୍ଜୁନାଥ କ୍ରିକେଟର କେଏଲ୍ ରାହୁଲଙ୍କ ସହ ଏ ବିଷୟରେ କଥା ହୋଇ ସୃଷ୍ଟିଙ୍କୁ ଶିକ୍ଷା ପାଇଁ ଆର୍ଥିକ ସହାୟତା କରିବାକୁ କହିଥିଲେ ।
ସୃଷ୍ଟିଙ୍କ ବାପା ହନୁମନ୍ତପ୍ପା ଏନେଇ କହିଛନ୍ତି, "କେଏଲ୍ ରାହୁଲ ମୋ ଝିଅକୁ ସ୍କୁଲରେ ଆଡମିଶନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯେତେବେଳେ ମୁଁ ସାମାଜସେବୀ ମଞ୍ଜୁନାଥଙ୍କ ସହ ଯୋଗାଯୋଗ କରିଥିଲି, ସେ କେଏଲ ରାହୁଲଙ୍କ ସହ କଥା ହୋଇ ଆମକୁ ଆର୍ଥିକ ସାହାଯ୍ୟ କରିଛନ୍ତି ।"