ଲକ୍ଷ୍ନୌ: ଆଗକୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ । ଏଥିପାଇଁ 16 ଜଣିଆ ସ୍କ୍ବାଡ ଘୋଷଣା କରିଛି ବିସିସିଆଇ। ଭାରତୀୟ ଦଳରେ ନୂଆ ଚେହେରା ଭାବେ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ଏହାପରେ ଲାଇମ ଲାଇଟକୁ ଆସିଛନ୍ତି ଓ୍ବିକେଟ କିପର ଧ୍ରୁବ । କିପରି ଭାରତୀୟ ଦଳରେ ତାଙ୍କୁ ଚୟନ କରାଗଲା ସେନେଇ ସବୁଠି ଚର୍ଚ୍ଚା । ଧ୍ରୁବଙ୍କ ଘର ଉତ୍ତରପ୍ରଦେଶ ଆଗ୍ରାର ତାଜନଗରୀ । ସେ ପୂର୍ବରୁ ଭାରତୀୟ ଏ ଦଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିଛନ୍ତି ।
ଧ୍ରୁବଙ୍କ ପ୍ରଦର୍ଶନରେ ଚୟନକର୍ତ୍ତା ଖୁସ୍:ଦୀପକ ଚହର ଏବଂ ରାହୁଲ ଚହରଙ୍କ ପରେ ଆଗ୍ରାରୁ ତୃତୀୟ କ୍ରିକେଟର ଭାବେ ଭାରତୀୟ ଟିମରେ ସାମିଲ ହୋଇଛନ୍ତି ଧ୍ରୁବ । ଉତ୍ତରପ୍ରଦେଶ ପାଇଁ ରଣଜୀ ଟ୍ରଫି ଖେଳିବା ସମୟରେ ଧ୍ରୁବଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା । ତାଙ୍କର ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲା। ଏହି ଆଧାରରେ ଧ୍ରୁବଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଚୟନ କରାଯାଇଛି। ଧ୍ରୁବ ଏହା ପୂର୍ବରୁ ଆଇପିଏଲ ମଧ୍ୟ ଖେଳିଛନ୍ତି । ଗତ ସିଜିନରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା ।
ଏହା ମଧ୍ୟ ପଢନ୍ତୁ-ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଧ୍ରୁବ ଜୁରେଲ ନୂଆ ମୁହଁ
2001 ଜାନୁୟାରୀ 1ରେ ଜୁରେଲଙ୍କ ଜନ୍ମ । ପିଲାଟି ଦିନରୁ କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ରହିଥିଲା । ଆଗ୍ରାର ସ୍ପ୍ରିଙ୍ଗଲ କ୍ରିକେଟ୍ ଏକାଡେମୀରେ ସେ ପ୍ରଶିକ୍ଷଣ ନେଇଥିଲେ। କ୍ରିକେଟ ପ୍ରତି ଥିବା ଦୁର୍ବଳତା ତାଙ୍କ ଆଖିରୁ ଯେମିତି ନିଦ ହଜାଇ ଦେଇଥିଲା । କଠିନ ପରିଶ୍ରମ ଆଜି ତାଙ୍କୁ ଭାରତୀୟ ଦଳରେ ସାମିଲ ହେବାର ସୁଯୋଗ ଦେଇଛି ।