ଓଡିଶା

odisha

ETV Bharat / sports

Cricket World Cup 2023: କିଏ ହେବ ଚଳିତ ବର୍ଷର 'ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ', ଜାଣନ୍ତୁ - ବିଶ୍ବକପ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟର ଇତିହାସ

କିଏ ହେବ ଚଳିତ ବର୍ଷର 'ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ' ? ବାଜି ମାରିବେ ଭେଟେରାନ ଖେଳାଳି ନା ଉଦୀୟମାନ ଯୁବ କ୍ରିକେଟର ? ଜଣେ ବୋଲର ନା ବ୍ୟାଟ୍ସମ୍ୟାନ୍ ନା ଅଲରାଉଣ୍ଡର 'ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ'ହେବ ? ତେବେ ବିଶ୍ବକପ୍‌ର 'ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ'ର ଇତିହାସ ଓ ଏହି ଟାଇଟଲ୍‌ ହାତେଇଥିବା କିମ୍ବଦନ୍ତୀ 8ଜଣ ପ୍ଲେୟାରଙ୍କ ସମ୍ପର୍କରେ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

World Cup best player of the tournament
World Cup best player of the tournament

By ETV Bharat Odisha Team

Published : Oct 5, 2023, 6:40 PM IST

ହାଇଦ୍ରାବାଦ: ପ୍ରତୀକ୍ଷାର ଅନ୍ତ ଘଟିଛି । ଆରମ୍ଭ ହୋଇଛି କ୍ରିକେଟ ମହାକୁମ୍ଭ । ଆଜି ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଉଦଘାଟନୀ ମ୍ୟାଚ୍‌ । ସଭିଙ୍କ ମନରେ ଉତ୍କଣ୍ଠା । ତେବେ ଚଳିତ ବର୍ଷର ବିଶ୍ବକପ୍‌ ଆରମ୍ଭ ହୋଇଥିବା ବେଳେ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି କ୍ରିକେଟ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କିଏ ମାରି ବାଜି ? କିଏ ଟେକିବ ଏହି ଚମକଦାର ଟ୍ରଫି ? ଚଳିତ ବର୍ଷ ବାଜି ମାରିବେ ଭେଟେରାନ ଖେଳାଳି ନା ଉଦୀୟମାନ ଯୁବ କ୍ରିକେଟର ? ଜଣେ ବୋଲର ନା ବ୍ୟାଟ୍ସମ୍ୟାନ୍ ନା ଅଲରାଉଣ୍ଡର ହେବ 'ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ' ?

ଚଳିତ ବିଶ୍ବକପ୍‌ରେ ଅନେକ ଭେଟେରାନ ଖେଳାଳିଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିବ । କିଛି ନୂତନ ତାରକା ସେମାନଙ୍କର ପ୍ରତିଭା ପ୍ରଦର୍ଶିତ କରିବାର ସୁଯୋଗ ପାଇବେ । ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କଲେ, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି (Player of the Tournament) ଚୟନ କରିବା 1992 ବିଶ୍ବକପରୁ ଆରମ୍ଭ ହୋଇଥିଲା । ସେହି ବର୍ଷ ଟ୍ରଫି ହାତେଇଥିଲା ପାକିସ୍ତାନ । ନ୍ୟୁଜିଲାଣ୍ଡର ଅଧିନାୟକ ମାର୍ଟିନ କ୍ରୋ ହୋଇଥିଲେ 'ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ' ।

1992ରୁ 2019 ମଧ୍ୟରେ, 8 ଜଣ ଖେଳାଳି ବିଶ୍ବକପ୍‌ରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରି 'ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ' ଆୱାର୍ଡକୁ ହାତେଇଛନ୍ତି । କିଏ ସେହି 8 ଜଣ କ୍ରିକେଟର ଆସନ୍ତୁ ଜାଣିବା...

Martin Crowe

1992 ବିଶ୍ବକପ୍‌- ମାର୍ଟିନ କ୍ରୋ:-1992 ବିଶ୍ବକପ୍‌ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଦ୍ବାରା ମିଳିତ ଭାବରେ ଆୟୋଜିତ ହୋଇଥିଲା । ଏହି ବର୍ଷ ଇଂଲଣ୍ଡକୁ ପରାସ୍ତ କରି ପାକିସ୍ତାନ ପ୍ରଥମ ଥର ପାଇଁ ବିଶ୍ବକପ ହାତେଇଥିଲା । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡର ଅଧିନାୟକ ମାର୍ଟିନ କ୍ରୋ ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ଦ୍ବାରା ସମସ୍ତଙ୍କୁ ଚକିତ କରିଥିଲେ। ମାର୍ଟିନ କ୍ରୋ 9ଟି ମ୍ୟାଚ ଖେଳି 456 ରନ ସଂଗ୍ରହ କରିଥିଲେ । ଯେଉଁଥିରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଗୋଟିଏ ଶତକ ଏବଂ ଟୁର୍ଣ୍ଣାମେଣ୍ଟରେ 4ଟି ଅର୍ଦ୍ଧଶତକ ହାସଲ କରିଥିଲେ । ମାର୍ଟିନ କ୍ରୋ ବିଶ୍ବକପ ଇତିହାସରେ ଏପର୍ଯ୍ୟନ୍ତ ଏକମାତ୍ର ଅଧିନାୟକ ଯିଏକି 'ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ' ଭାବରେ ମନୋନୀତ ହୋଇଛନ୍ତି । ମାର୍ଟିନ କ୍ରୋ ମଧ୍ୟ ଏହି ସଂସ୍କରଣରେ 3 ଥର 'ମ୍ୟାନ୍ ଅଫ୍ ଦ ମ୍ୟାଚ୍' ଭାବରେ ମନୋନୀତ ହୋଇଥିଲେ । ମାର୍ଟିନଙ୍କର 2016 ମାର୍ଚ୍ଚ 3ରେ ଅକଲାଣ୍ଡରେ ମୃତ୍ୟୁ ହୋଇଥିଲା ।

Sanath Jayasuriya

1996 ବିଶ୍ବକପ୍‌ - ସନାଥ ଜୟସୁରିୟା:-ଅର୍ଜୁନାନା ରାଣାତୁଙ୍ଗାଙ୍କ ନେତୃତ୍ବାଧୀନ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଥିଲା । ଏହି ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କାର ଓପନର୍ ସନାଥ ଜୟସୁରିୟା ଏବଂ ରୋମେଶ କାଲୁୱିଥାରାନା କ୍ରିକେଟ୍ ଜଗତକୁ ପ୍ରଥମ ୧୦ ଓଭରରେ କିପରି ଦ୍ରୁତ ବ୍ୟାଟିଂ କରାଯାଏ ତାହା ଶିଖାଇଥିଲେ। ଶ୍ରୀଲଙ୍କାକୁ ଚମ୍ପିଆନ କରିବାରେ ଉଭୟଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା । ବିଶେଷକରି ବାମହାତୀ ବ୍ୟାଟ୍ସମ୍ୟାନ୍ ସନାଥ ଜୟସୁରିୟା 6ଟି ମ୍ୟାଚରେ 221 ରନ ସ୍କୋର କରି 7ଟି ୱିକେଟ୍ ନେଇଥିଲେ । ସେ 5ଟି କ୍ୟାଚ୍ ମଧ୍ୟ ଧରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଜୟସୁରିୟା 2 ଥର 'ମ୍ୟାନ୍ ଅଫ୍ ଦ ମ୍ୟାଚ୍'ହୋଇଥିଲେ । ଏହାର ଫାଇନାଲ୍ ମ୍ୟାଚ୍‌ ଲାହୋରରେ ଖେଳାଯାଇଥିଲା ।

Lance Klusener

1999 ବିଶ୍ବକପ୍‌- ଲାନ୍ସ କ୍ଲୁସେନର:- 1999ରେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା କଡ଼ା ମୁକାବିଲାର ସହିତ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଲାନ୍ସ କ୍ଲୁସେନର ଉତ୍କୃଷ୍ଟ ପ୍ରଦର୍ଶନ ଫଳରେ ଟିମକୁ ଗୁରୁତ୍ବପୂର୍ଣ୍ଣ 4ଟି ପର୍ଯ୍ୟାୟରୁ ମୁକୁଳାଇଥିଲେ । ସେହି ବିଶ୍ବକପ୍‌ରେ କ୍ଲୁସେନର ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଉତ୍କୃଷ୍ଟ ପ୍ରଦର୍ଶନ କରି କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କରିଥିଲେ । ସେ 9ଟି ମ୍ୟାଚରେ 281 ରନ୍ ସଂଗ୍ରହ କରିଥିବା ବେଳେ 17ଟି ୱିକେଟ୍ ମଧ୍ୟ ନେଇଥିଲେ । ଏହାସହ 2ଟି ଅର୍ଦ୍ଧଶତକ ନିଜ ନାମରେ ଯୋଡ଼ିଥିଲେ । ଯଦିଓ ଦକ୍ଷିଣ ଆଫ୍ରିକା ଫାଇନାଲରେ ପହଞ୍ଚିପାରିନଥିଲା ହେଲେ ଲାନ୍ସ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ଲେୟାର ଥିଲେ ବୋଲି କ୍ରିକେଟ ବିଶେଷଜ୍ଞ ମତ ରଖିଥିଲେ । 4ଟି ମ୍ୟାନ ଅଫ ଦ ମ୍ୟାଚ୍‌ ଆୱାର୍ଡ ପରେ ଲାନ୍ସଙ୍କୁ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଟ୍ରଫି ମଳିଥିଲା । ବିଶ୍ବକପ୍‌ ଇତିହାସରେ ଲାନ୍ସ ସବୁଠୁ ଉତ୍ତମ ପ୍ରଦର୍ଶନକାରୀ କ୍ରିକେଟର ଥିଲେ ବୋଲି କ୍ରିକେଟ ଏକ୍ସପର୍ଟ କହିଥିଲେ ।

ଏହା ବି ପଢନ୍ତୁ- Cricket World Cup 2023: ଆଜିଠୁ କ୍ରିକେଟ ମହାକୁମ୍ଭ, ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମୁକାବିଲା

Sachin Tendulkar

2003 ବିଶ୍ବକପ୍‌- ସଚିନ ତେନ୍ଦୁଲକର:- 1983 ଓ 2011ରେ ଭାରତ ବିଶ୍ବକପ ଜିତିଥିଲା । ତଥାପି ଦକ୍ଷିଣ ଭାରତରେ ଅନୁଷ୍ଠିତ ବିଶ୍ବକପ୍ 2003 ସଂସ୍କରଣରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ମେନ ଇନ୍ ବ୍ଲୁ ମୈଦାନକୁ ଓହ୍ଲାଇଥିଲା । ଜୋହାନ୍ସବର୍ଗରେ ଖେଳାଯାଇଥିବା ଫାଇନାଲକୁ ଟିମକୁ ନେବାରେ କ୍ରିକେଟ୍ ଆଇକନ୍ ସଚିନ ତେନ୍ଦୁଲକରଙ୍କ ପ୍ରମୁଖ ଭୂମିକା ରହିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ 11ଟି ମ୍ୟାଚରେ ତେନ୍ଦୁଲକର ଗୋଟିଏ ଶତକ ଏବଂ 6ଟି ଅର୍ଦ୍ଧଶତକ ସହିତ 673 ରନ ସଂଗ୍ରହ କରିଥିଲେ । ସଚିନ ଟୁର୍ଣ୍ଣାମେଣ୍ଟରେ ହାରାହାରି 61.18 ରନ୍ ସଂଗ୍ରହ କରିଥିଲେ ଏବଂ 3 ଥର 'ମ୍ୟାନ୍ ଅଫ୍ ଦ ମ୍ୟାଚ୍' ହୋଇଥିଲେ । ଏହାସହ 2ଟି ୱିକେଟ୍ ନେବା ସହ 4ଟି କ୍ୟାଚ୍ ମଧ୍ୟ ଧରିଥିଲେ । ଏହା ପରେ ତାଙ୍କୁ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ସହିତ ଗୋଲ୍ଡେନ୍ ବ୍ୟାଟ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଯେକୌଣସି ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ସଚିନଙ୍କ ନାମରେ ରହିଛି ।

Glenn McGrath

2007 ବିଶ୍ବକପ୍‌- ଗ୍ଲେନ୍‌ ମ୍ୟାକ୍‌ଗ୍ରା:- ୱେଷ୍ଟଇଣ୍ଡିଜ ପ୍ରଥମ ଥର ପାଇଁ ବିଶ୍ବକପ ଆୟୋଜନ କରିଥିଲା ଏବଂ ପ୍ରଥମ ଥର ପାଇଁ ଜଣେ ବୋଲରଙ୍କୁ 'ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ' ଆୱାର୍ଡ ପ୍ରଦାନ କରାଯାଇଥିଲା । ଅଷ୍ଟ୍ରେଲୀୟ ପେସର ଗ୍ଲେନ୍ ମ୍ୟାକ୍‌ଗ୍ରା ମୋଟ 11ଟି ମ୍ୟାଚରେ 26 ୱିକେଟ୍ ସଂଗ୍ରହ କରିଥିଲେ ଏବଂ କ୍ରମାଗତ 3ୟ ଥର ପାଇଁ ଟିମକୁ ବିଶ୍ବ ଚମ୍ପିଆନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚରେ ଅତି କମରେ ଗୋଟିଏ ୱିକେଟ ନେଇଥିଲେ । ଫାଇନାଲରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ପରାସ୍ତ କରି ଟ୍ରଫି ହାତେଇଥିଲା ।

Yuvraj Singh

2011 ବିଶ୍ବକପ୍‌- ଯୁବରାଜ ସିଂ:-2011ରେ ଭାରତ ବିଶ୍ବକପ୍ ଆୟୋଜନ କରିଥିଲା ଦଳ ଚମ୍ପିଆନ ହୋଇଥିଲା । 2011 ଏପ୍ରିଲ 2ରେ ମୁମ୍ବାଇର ଆଇକନିକ୍ ୱାଙ୍ଖଡେ ଷ୍ଟାଡିୟମ ଫାଇନାଲ ମ୍ୟାଚ ଖେଳାୟାଇଥିଲା । ଭାରତ ବିଶ୍ବ ଚମ୍ପିଆନ ହେବାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଅଲରାଉଣ୍ଡର ଯୁବରାଜ ସିଂ। ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ ମଧ୍ୟ ଯୁବରାଜଙ୍କୁ 'ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ' ଭାବେ ମନୋନୀତ କରାଯାଇଥିଲା । ଯୁବରାଜ ବିଶ୍ବକପ ସମୟରେ କର୍କଟ ରୋଗ ସହ ଲଢୁଥିଲେ। ତଥାପି ସେ ଗୋଟିଏ ଶତକ ଏବଂ 4ଟି ଅର୍ଦ୍ଧଶତକ ସହିତ 9 ମ୍ୟାଚରେ 362 ରନ୍‌ ସଂଗ୍ରହ କରିଥିଲେ । 15 ୱିକେଟ୍ ମଧ୍ୟ ନେଇଥିଲେ ୟୁଭି । ବିଶ୍ବକପ୍ 2011 ସମୟରେ ସେ 4ଥର 'ମ୍ୟାନ୍ ଅଫ୍ ଦ ମ୍ୟାଚ୍' ହୋଇଥିଲେ ।

Mitchell Starc

2015 ବିଶ୍ବକପ୍‌- ମିଚେଲ ଷ୍ଟାର୍କ:- 2015 ମସିହାରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଦ୍ବାରା ମିଳିତ ଭାବେ ବିଶ୍ବକପ୍ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ପଞ୍ଚମ ଥର ପାଇଁ ବିଶ୍ବକପ୍‌ ଟ୍ରଫି ହାତେଇଥିଲା । ଯେଉଁଥିରେ ପେସର ମିଚେଲ ଷ୍ଟାର୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଷ୍ଟାର୍କ 10.18 ହାରାହାରି ବୋଲିଂରେ 8ଟି ମ୍ୟାଚ୍‌ରେ 22 ୱିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ 28 ରନ ଦେଇ ସେ 6ଟି ୱିକେଟ୍ ନେଇଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚରେ ଷ୍ଟାର୍କ ଅତି କମରେ 2ଟି ୱିକେଟ୍ ନେଇଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ 'ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ' ଭାବରେ ମନୋନୀତ କରାଯାଇଥିଲା । ବିଶ୍ବକପ ଇତିହାସରେ ଏହା ଦ୍ବିତୀୟ ଥର ଥିଲା ଯେ ଜଣେ ବୋଲର ଏହି ଟ୍ରଫି ପାଇଥିଲେ । ଏହାପୂର୍ବରୁ 2007ରେ ଅଷ୍ଟ୍ରେଲୀୟ ପେସର ଗ୍ଲେନ ମ୍ୟାକଗ୍ରା ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ।

ଏହା ବି ପଢନ୍ତୁ- Cricket World Cup 2023: ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ଅନେକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ନରେନ୍ଦ୍ର ମୋଦି ଷ୍ଟାଡିୟମ

Kane Williamson

2019 ବିଶ୍ବକପ୍‌- କେନ ୱିଲୟମସନ୍‌:- 2019ରେ ପ୍ରାୟ 20 ବର୍ଷ ପରେ ଇଂଲଣ୍ଡ ପୁଣି ବିଶ୍ବକପ୍‌ ଆୟୋଜନ କରିଥିଲା । ଏହାସହ 3ୟ ଥର ପାଇଁ ବିଶ୍ବକପ୍ ଟ୍ରଫି ହାତେଇଥିଲା । 2019ରେ ଇଂଲଣ୍ଡ ପ୍ରଥମ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କୁ 'ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ' ଭାବରେ ମନୋନୀତ କରାଯାଇଥିଲା । ସେ 2ଟି ଶତକ ଏବଂ ଅର୍ଦ୍ଧଶତକ ସହ 10ଟି ମ୍ୟାଚ୍‌ ଖେଳି 578 ରନ୍ କରିଥିଲେ । ତେବେ ଫାଇନାଲରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ବହୁ ରନ୍‌ ବ୍ୟବଧାନରେ ପରାସ୍ତ କରିଥିଲା । 'ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ' ହେବାରେ କେନ୍ ୱିଲିୟମସନ ବିଶ୍ବକପ ଇତିହାସର ଦ୍ବିତୀୟ ଅଧିନାୟକ । ଏହାପୂର୍ବରୁ 1992 ବିଶ୍ବକପରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ମାର୍ଟିନ କ୍ରୋ ଏହି ଟାଇଟଲ୍‌ ନିଜ ନାମରେ କରିଥିଲେ ।

ଚଳିତ ବର୍ଷ କିଏ ହେବ 'ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ' ?

ଚଳିତ ବର୍ଷ ବିଶ୍ବକପ୍‌ରେ କିମ୍ବଦନ୍ତୀ ପ୍ଲେୟାରଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ୍‌, କେନ ୱିଲୟମସନ, ଜୋ ରୁଟ୍‌, ସାକବି ଅଲ ହାସନ୍‌, ଟ୍ରେଣ୍ଟ ବୋଲ୍ଟ, ଗ୍ଲେନ ମ୍ୟାକ୍ସୱେଲ୍‌, ଡେଭିଡ ମିଲର, ହେନରିଚ କ୍ଲାସେନ, ରବିନ୍ଦ୍ର ଜାଡେଜା ରହିଛନ୍ତି । ଏମାନଙ୍କୁ ଟକ୍କର ଦେବା ଲାଗି ୟଙ୍ଗଷ୍ଟର୍‌ କ୍ରିକେଟରଙ୍କ ତାଲିକା ମଧ୍ୟ ଲମ୍ବା। ଯୁବ କ୍ରିକେଟରଙ୍କ ମଧ୍ୟରେ ସୁବମନ ଗିଲ୍‌, ଇଶାନ କିଶାନ, ସୂର୍ଯ୍ୟ କୁମାର ଯାଦବ, ଇମାମ ଉଲ ହକ୍‌, ନୁର ଅହମ୍ମଦ, କ୍ୟାମେରନ ଗ୍ରିନ୍‌, ହାରି ବ୍ରୁକ୍‌, ତେନଜେମ ହାସନ ଶକିବ, ମହମ୍ମଦ ୱାସିନ , ଶାହିନ ଶାହ ଆଫ୍ରିଦି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ନାଜମୁଲ ହୁସେନ ରହିଛନ୍ତି ।

ତେବେ ଚଳିତ ଥର ଭେଟେରାନ କ୍ରିକେଟର ନା କେହି ଉଦୀୟମାନ ଯୁବ କ୍ରିକେଟର ଏହି ଟାଇଟଲକୁ ନିଜ ନାମରେ କରିବେ ତାହା ଦେଖିବା ନିଶ୍ଚିତ ରୋମାଞ୍ଚକର ହେବ । ଟୁର୍ଣ୍ଣାମେଣ୍ଟରେ ଜଣେ ବୋଲର ନା ବ୍ୟାଟ୍ସମ୍ୟାନ୍ ନା ଅଲରାଉଣ୍ଡର 'ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ'ହେବେ ତାହା ଉପରେ ସମସ୍ତଙ୍କ ନଜର । ଆସନ୍ତା ନଭେମ୍ବର 19ରେ ଏହା ସ୍ପଷ୍ଟ ହୋଇଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details