ବେଙ୍ଗାଲୁରୁ: ବିଶ୍ବକପ୍ ୨୦୨୩ ଲିଗ୍ ପର୍ଯ୍ୟାୟରେ ଏକମାତ୍ର ଅପରାଜେୟ ଦଳ ଭାବେ ଅଭିଯାନ ଶେଷ କରିଛି ଭାରତ । ଶେଷ ଲିଗ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡକୁ ୧୬୦ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ତେବେ ଭାରତ ମ୍ୟାଚ୍ ଖେଳିଥିବା ପ୍ରାୟ ସବୁ ଭେନ୍ୟୁରେ କୋହଲିଙ୍କୁ ବୋଲିଂ ଦେବା ପାଇଁ ପ୍ରଶଂସକ ଦାବି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଶେଷ ଲିଗ୍ ମ୍ୟାଚ୍ରେ ବେଙ୍ଗାଲୁରୁରେ ମଧ୍ୟ ଏହି ଦାବି କରିଥିଲେ ଫ୍ୟାନ୍ସ । ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଶଂସକଙ୍କ ଦାବି ରଖି କୋହଲିଙ୍କୁ ବୋଲିଂ ଦେଇଥିଲେ । କୋହଲି ଏହି ମ୍ୟାଚ୍ରେ ୩ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ । ଏପରିକି ଅଧିନାୟକ ରୋହିତ ଶର୍ମା ମଧ୍ୟ ବୋଲିଂ କରି ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ ।
ପ୍ରଶଂସକଙ୍କ ଦାବି ଶୁଣିଲେ ରୋହିତ: ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ଦମଦାର ବ୍ୟାଟିଂ କରିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଶୁଭମନ ଗିଲ୍ ଓ ବିରାଟ କୋହଲି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏହାପରେ ଶ୍ରେୟସ ଆୟର ଓ କେଏଲ୍ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ନିଜ ନିଜର ଶତକ ଅର୍ଜନ କରିଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୪ ୱିକେଟ୍ ହରାଇ ୪୧୦ ରନ ସଂଗ୍ରହ କରିଥିଲା । ବିଜୟ ପାଇଁ ୪୧୧ ରନର ବିଶାଳ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ନେଦରଲ୍ୟାଣ୍ଡ । ଭାରତର ବୋଲିଂ ସମୟରେ ଚିନ୍ନାସ୍ବାମୀର ଦର୍ଶକ ଏକସ୍ବରରେ କୋହଲିଙ୍କୁ ବୋଲିଂ ଦେବାକୁ ନାରା ଦେଇଥିଲେ । ପ୍ରଶଂସକଙ୍କ ଦାବି ଅଧିନାୟକ ରୋହିତ ଶର୍ମାଙ୍କ କାନରେ ମଧ୍ୟ ପଡ଼ିଥିଲା । ୨୩ତମ ଓଭରରେ ବିରାଟଙ୍କୁ ବୋଲିଂ ଦେଇଥିଲେ ରୋହିତ ।
୯ ବର୍ଷ ପରେ କୋହିଲଙ୍କୁ ୱିକେଟ୍: ବିରାଟ ଠିକଠାକ୍ ବୋଲିଂ ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ସେ ୭ ରନ ବ୍ୟୟ କରିଥିଲେ । ଦ୍ବିତୀୟ ଓଭର୍ ବୋଲିଂ କରିବାକୁ ଆସି ତୃତୀୟ ବଲରେ ସେ ନେଦରଲ୍ୟାଣ୍ଡ ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ(୧୭)ଙ୍କୁ ଆଉଟ କରିଦେଇଥିଲେ । ସେ ଲେଗ୍ ସାଇଡ୍ରେ ଏକ ବଲ ପକାଇଥିଲେ । ଏଡୱାର୍ଡ୍ସ ସିଙ୍ଗିଲ୍ ନେବାକୁ ଚେଷ୍ଟା କରି ୱିକେଟକିପର କେଏଲ୍ ରାହୁଲଙ୍କ ହାତରେ ଧରା ପଡ଼ିଥିଲେ । ବିରାଟ ଆଜି ସମୁଦାୟ ୩ ଓଭର ବୋଲିଂ କରିଥିବାବେଳେ ୧୩ ରନ ବ୍ୟୟ କରି ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ ।