ନୂଆଦିଲ୍ଲୀ:ଆଇସିସି କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି ନବମ ଲିଗ୍ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି । ସେପଟେ ଆଫଗାନିସ୍ତାନ ବିଜୟଖାତା ଖୋଲିବାକୁ ପ୍ରୟାସ କରିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଅପରାହ୍ନ 2ଟାରୁ ମ୍ୟାଚ ଆରମ୍ଭ ହେବ ।
ଭାରତ ବନାମ ଆଫଗାନିସ୍ତାନ: କ୍ରିକେଟ ମହାସମର ବିଶ୍ବକପରେ ସବୁଠୁ ସଫଳ ଦଳ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ହରାଇବା ପରେ ଦୃଢ ମନୋବଳରେ ରହିଛି ଟିମ୍ ଇଣ୍ଡିଆ । ଆଜି ଆଫଗାନିସ୍ତାନକୁ ହରାଇ ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ ରୋହିତ ସେନା । ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ ଓ ଫିଲ୍ଡିଂରେ ଦଳ ଭଲ ପ୍ରଦର୍ଶନ କରିଥିଲା । ବ୍ୟାଟିଂରେ ଓପନର ବିଫଳ ହୋଇଥିଲେ କିନ୍ତୁ ଅଭିଜ୍ଞ ବିରାଟ ଓ ଯୁବ ତାରକା ବ୍ୟାଟର କେଏଲ ରାହୁଲ ସ୍ଥିତି ସମ୍ଭାଳି ନେଇଥିଲେ । ଆଜି ଭାରତ ସମସ୍ତ ତ୍ରୁଟି ସୁଧାରି ଆଫଗାନିସ୍ତାନ ବିପକ୍ଷରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି । ଭାରତ ତାର ବୋଲିଂ ବିଭାଗରେ ପରିବର୍ତ୍ତନ କରିପାରେ । ଅଶ୍ବିନୀଙ୍କ ସ୍ଥାନରେ ମହମ୍ମଦ ସିରାଜ କିମ୍ବା ସାର୍ଦୁଳ ଠାକୁରଙ୍କୁ ସ୍ଥାନ ମିଳିପାରେ । 2019 ବିଶ୍ବକପରେ ଉଭୟ ଦଳ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଉକ୍ତ ମ୍ୟାଚକୁ ଭାରତ 11ରନରେ ଜିତିଥିଲାସ । ଏହାପୂର୍ବରୁ ଏସିଆ କପ୍ ଭାରତ ଆଫଗାନିସ୍ତାନ ମ୍ୟାଚ୍ ଟାଇ ହୋଇଥିଲା ।
ହୋମ୍ ଗ୍ରାଉଣ୍ଡରେ କୋହଲିଙ୍କ କମାଲକୁ ଅପେକ୍ଷା:ଅଷ୍ଟ୍ରେଲିଆ ବିପକ୍ଷରେ କିଙ୍ଗ୍ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । 2 ରନରେ ଦଳ 3 ୱିକେଟ୍ ହରାଇ ସଙ୍କଟରେ ପଡିଥିବା ବେଳେ କୋହଲି ଓ କେଏଲ ରାହୁଲ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । କୋହଲି 85 ଓ କେଏଲ ରାହୁଲଙ୍କ ଅପରାଜିତ 97ରେ ଦଳ ବିଜୟ ହାସଲ କରିଥିଲା । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ କୋହଲିଙ୍କ ହୋମ ଗ୍ରାଉଣ୍ଡ । ଆଜି ଘରୋଇ ଗ୍ରାଉଣ୍ଡରେ କୋହଲିଙ୍କ କମାଲ ଅପେକ୍ଷାରେ ରହିଛନ୍ତି ତାଙ୍କ ସମର୍ଥକ । ଏହି ଗ୍ରାଉଣ୍ଡ କୋହଲିଙ୍କ ପାଇଁ ବେଶ ପରିଚିତ । କାରଣ ସେ ନିଜ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିବା ଦିନଠାରୁ ଏଠାରେ ଖେଳିଛନ୍ତି । ୨୦୦୯ରୁ ୨୦୧୯ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ବିରାଟ ଦିନିକିଆ ଫର୍ମାଟରେ ୭ଟି ମ୍ୟାଚରେ ୬ଟି ଇନିଂସ ଖେଳି ୨୨୨ ରନ୍ ସଂଗ୍ରହ କରିଛନ୍ତି । ବିରାଟ କୋହଲି ମଧ୍ୟ ଏହି ଗ୍ରାଉଣ୍ଡ୍ରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଜି ହୋମଗ୍ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାକୁ ସୁଯୋଗ ମିଳିବ ।
ଏହା ବି ପଢନ୍ତୁ...Cricket World Cup 2023: ସଫିକ୍-ରିଜ୍ୱାନଙ୍କ ଶତକୀୟ ପାଳି, ୬ ୱିକେଟ୍ରେ ଜିତିଲା ପାକିସ୍ତାନ