ନୂଆଦିଲ୍ଲୀ: ବିଶ୍ବକପ୍ ୨୦୨୩ରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଛି । ଏହା ସହିତ ଦଳ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଖେଳର ଶେଷକୁ ତାବରୈଜ ସାମ୍ସି ଏକ ନିଶ୍ଚିତ ଏଲ୍ବିଡବ୍ଲ୍ୟୁ ଆଉଟ୍ ହେବାରୁ ରକ୍ଷା ପାଇଥିଲେ । ହାରିଶ ରୌଫଙ୍କ ବଲ ଅଫ ଷ୍ଟମ୍ପ ବାହାରେ ପିଚ୍ ହୋଇ ଲେଗ ଷ୍ଟମ୍ପ ଆଡକୁ ଯାଇଥିଲା । ହେଲେ ଅମ୍ପାୟାର ଏହାକୁ ନଟ୍ ଆଉଟ୍ ଘୋଷଣା କରିଥିଲେ । ପାକିସ୍ତାନ ଡିଆର୍ଏସ୍ ନେଇଥିଲା । ବଲ୍ ଲେଗ୍ ଷ୍ଟମ୍ପରେ ବାଜୁଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ବଲ ଅଫ ଷ୍ଟମ୍ପର ଯଥେଷ୍ଟ ବାହାରେ ପଡିଥିବାରୁ ଅମ୍ପାୟାର୍ସ କଲ ନିଷ୍ପତ୍ତିକୁ ଚାଲି ଯାଇଥିଲା । ଯେଉଁଥିରେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିଥିଲା ।
ଦଶମ ୱିକେଟ ଭାଗିଦାରୀରେ ସାମ୍ସି ଓ କେଶବ ମହାରାଜ ଦକ୍ଷିଣ ଆଫ୍ରିକାକୁ ଜିତାଇବାରୁ ପାକିସ୍ତାନ ସେମିଫାଇନାଲ ଆଶା ମଉଳି ଯାଇଥିଲା । ଏହି ଗୋଟିଏ ନିଷ୍ପତ୍ତି ନୁହେଁ, ରଶି ଭାନଡେର ଡସେନ ବ୍ୟାଟିଂ କରୁଥିବା ସମୟରେ ମଧ୍ୟ ଅମ୍ପାୟାର୍ସ କଲର ଶିକାର ହୋଇଥିଲେ । ଉସାମା ମୀରଙ୍କ ବୋଲିଂରେ ସେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ । ଫିଲ୍ଡ ଅମ୍ପାୟାର ତାହାକୁ ଆଉଟ ହେବା ପରେ ଡସେନ ରିଭ୍ୟୁ ନେଇଥିଲେ । ବଲ୍ ଷ୍ଟମ୍ପରେ ବାଜୁ ନଥିଲା । ବଲ ଟ୍ରାକିଂରେ ଅମ୍ପାୟାର୍ସ କଲ୍ ରେଫରାଲ ମିଳିଥିଲା । ଫଳରେ ଡସେନଙ୍କୁ ପାଭିଲିୟନ ଫେରିବାକୁ ପଡିଥିଲା । ଅମ୍ପାୟାର୍ସ କଲ୍ ବା ଟେକ୍ନୋଲୋଜିରେ ଯାହା ନିର୍ଣ୍ଣୟ ନିଆଯାଉଛି ତାହାକୁ ସବୁ ଦଳକୁ ମାନିବାକୁ ହେବ ବୋଲି ମ୍ୟାଚ୍ ପରବର୍ତ୍ତୀ ପ୍ରେସମିଟରେ କହିଥିଲେ କେଶବ ମହାରାଜ ।