ଲକ୍ଷ୍ନୌ: ଚଳିତ ବିଶ୍ବକପ୍ ୨୦୨୩ର ୧୯ ତମ ମ୍ୟାଚରେ ଶନିବାର ନେଦରଲ୍ୟାଣ୍ଡକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ଶ୍ରୀଲଙ୍କା । ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଶନିବାର ମୁହାଁମୁହିଁ ହୋଇଥିଲେ ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ । ପ୍ରଥମେ ବ୍ୟାଟିଂ କରି ୪୯.୪ ଓଭରରେ ନେଦରଲ୍ୟାଣ୍ଡ ଦଳ ସମସ୍ତ ୱିକେଟ୍ ହରାଇ ୨୬୨ ରନ ସଂଗ୍ରହ କରିଥିଲା । ଫଳରେ ଶ୍ରୀଲଙ୍କା ଆଗରେ ୨୬୩ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଜବାବରେ ୪୮.୨ ଓଭରରେ ଏହି ଟାର୍ଗେଟ୍ ହାସଲ କରିନେଇଛି ଶ୍ରୀଲଙ୍କା । ୯୧ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ସଦୀର ସମରବିକ୍ରମା ।
ନେଦରଲ୍ୟାଣ୍ଡ ବ୍ୟାଟିଂ: ଆଜି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ନେଦରଲ୍ୟାଣ୍ଡ ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ । ହେଲେ ଓପନର ବିକ୍ରମଜିତ ସିଂହ କେବଳ ୪ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଯଦିଓ ମାକ୍ସ ଓଡୱଡ୍ ଓ କଲିନ ଅକରମାନ୍ ଏକ ସୁସ୍ଥ ଭାଗିଦାରୀ ଆଡ଼କୁ ବଢ଼ିଥିଲେ, ହେଲେ ୧୬ ରନ କରି ନିଜ ୱିକେଟ୍ ହରାଇଥିଲେ ଓଡୱଡ୍ । ଅକରମାନ୍ ମଧ୍ୟ ୨୯ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବସ୍ ଡିଲେଡ୍ ୬, ତେଜା ନିଦାମାନୁରୁ ୯ ଓ ଅଧିନାୟକ ଏଡୱାର୍ଡ୍ସ ୧୬ ରନ କରି ଆଉଟ୍ ହୋଇଥିଲେ । ଏହାପରେ ସାଇବ୍ରାଣ୍ଡ ଏଙ୍ଗେଲବ୍ରେଚ୍ ଓ ଭାନ୍ ବିକ୍ ଦଳକୁ ସଙ୍କଟ ସ୍ଥିତିରୁ ମୁକୁଳାଇଥିଲେ । ସାଇବ୍ରାଣ୍ଡଙ୍କ ୭୦ ରନ୍ ଓ ଭାନ୍ ବିକ୍ଙ୍କ ୫୯ ରନର ପାଳି ବଳରେ ନେଦରଲ୍ୟାଣ୍ଡ ଏକ ସଙ୍ଘର୍ଷପୂର୍ଣ୍ଣ ସ୍କୋର ଦଳୀୟ ଖାତାରେ ଯୋଡ଼ିଥିଲା । ଅନ୍ୟ ବ୍ୟାଟରଙ୍କ ବିଫଳତା କାରଣରୁ ୨୬୨ ରନରେ ସମସ୍ତ ୱିକେଟ୍ ହରାଇଥିଲା ନେଦରଲ୍ୟାଣ୍ଡ ।
ଶ୍ରୀଲଙ୍କା ବୋଲିଂ: ଶ୍ରୀଲଙ୍କା ପକ୍ଷରୁ ଦୀଲସାନ୍ ମଧୁଶଙ୍କା ଓ କସୁନ ରଜିଥା ୪ଟି ଲେଖାଏଁ ୱିକେଟ୍ ନେଇଥିଲେ । ଉଭୟ ଯଥାକ୍ରମେ ୪୯ ଓ ୫୦ ରନ ଖର୍ଚ୍ଚ ମଧ୍ୟ କରିଥିଲେ । ମହୀଶ ତୀକ୍ଷାଣା ୧୦ ଓଭରରୁ ୪୪ ରନ ବ୍ୟୟ କରି ଗୋଟିଏ ୱିକେଟ୍ ନେଇଥିଲେ । ଅନ୍ୟ ବୋଲରମାନେ ୱିକେଟ ଅକ୍ତିଆର କରିନଥିଲେ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।