ନୂଆଦିଲ୍ଲୀ:ICC ପୁରୁଷ ବିଶ୍ବକପ 2023 ଟୁର୍ଣ୍ଣାମେଣ୍ଟ ଏବେ ଶେଷ ପର୍ଯ୍ୟାୟରେ । ଲିଗ ପର୍ଯ୍ୟାୟ ମ୍ୟାଚ ସରି ସରି ଆସୁଛି । ଆଜି ICC ଦିନିକିଆ କ୍ରିକେଟ ବିଶ୍ବକପ 2023ର 38ତମ ଲିଗ୍ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚ୍ରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବାଂଲାଦେଶ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ । ବାଂଲାଦେଶ ସେମିଫାଇନାଲ ଦୌଡରୁ ବାଦ ପଡ଼ି ସାରିଛି । ଶ୍ରୀଲଙ୍କାର ଆଶା ଉଜ୍ଜୀବିତ ରହିଛି । ଏହି ମ୍ୟାଚ୍ ଜରିଆରେ ଉଭୟ ଦଳ 2025 ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହେବା ଆକଳନ କରାଯାଉଛି ।
ଶ୍ରୀଲଙ୍କା 7ଟି ମ୍ୟାଚ୍ ଖେଳି 2ଟିରେ ବିଜୟ ହାସଲ କରିଛି । 5ଟି ପରାଜୟ ସହ 4 ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଭାରତ ବିପକ୍ଷରେ ଶ୍ରୀଲଙ୍କାର ଶୋଚନୀୟ ପରାଜୟ ହୋଇଥିଲା । ଦଳ ତାର ବାକି 2ଟି ମ୍ୟାଚ୍ ଜିତିଲେ ପଏଣ୍ଟ ଟେବୁଲ ଉପରକୁ ଉଠିବ । ଆଜି ବାଂଲାଦେଶକୁ ମାତ୍ ଦେବାକୁ ସବୁ ଶକ୍ତି ଖଟାଇବ ଦଳ । ବିଶ୍ବକପରେ 2 ଦଳ ପରସ୍ପରକୁ 4ଥର ଭେଟିଛନ୍ତି । ଶ୍ରୀଲଙ୍କା 3ଥର ଜିତିଛି । ଗୋଟିଏ ମ୍ୟାଚ୍ ବାତିଲ ରହିଛି । ରେକର୍ଡ ଦେଖିଲେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ପଲ୍ଲା ଭାରି ରହିଛି ।
ଚଳିତ ବିଶ୍ବକପରେ ବାଂଲାଦେଶ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ 7ଟି ମ୍ୟାଚ୍ ଖେଳି ମାତ୍ର 1ଟି ମ୍ୟାଚz ଜିତିଛି । ବାକି 6ଟି ମ୍ୟାଚରେ ପରାସ୍ତ ହୋଇଛି । 2 ପଏଣ୍ଟ ସହ ଟେବୁଲର ନବମ ସ୍ଥାନରେ ରହିଛି । ଦୁର୍ବଳ ରଣନୀତି ପରାଜୟର ମୁଖ୍ୟ କାରଣ ରହିଛି । ଆଜି ଶ୍ରୀଲଙ୍କାକୁ ହରାଇବାକୁ ହେଲେ ଦଳକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ହେବ । ଶ୍ରୀଲଙ୍କାକୁ ହରାଇ 2025 ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାକୁ ପ୍ରୟାସ କରିବ ।