ଅହମ୍ମଦାବାଦ: ଶେଷ ଯାଏଁ ସଙ୍ଘର୍ଷ କରି ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ଆଫଗାନିସ୍ତାନ । ଦମଦାର ପ୍ରଦର୍ଶନ ସହ ଚମ୍ପିଆନ୍ସ ଟ୍ରଫି ଟିକେଟ୍ ନେଇ ବିଶ୍ବକପ୍ରୁ ବିଦାୟ ନେଲା ହସମତୁଲ୍ଲା ଶାହିଦିଙ୍କ ଆଫଗାନୀ ଦଳ । ଅହମ୍ମଦାବାଦରେ ଦଳ ଏହାର ଶେଷ ଲିଗ୍ ମ୍ୟାଚ୍ରେ ସେମିଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ପର୍ଯ୍ୟନ୍ତ ସଙ୍ଘର୍ଷ କରିଥିଲା । ପ୍ରଥମେ ବ୍ୟାଟିଂ କରି ଆଜମତୁଲ୍ଲା ଓମରଜାଇଙ୍କ ଅପରାଜିତ ୯୭ ରନର ପାଳି ବଳର ୨୪୪ ରନ ସ୍କୋର କରିଥିଲା ଆଫଗାନିସ୍ତାନ । ଜବାବରେ ରସି ଭାନ୍ଡେର୍ ଡସେନ୍ଙ୍କ ଅପରାଜିତ ୭୬ ରନର ପାଳି ଦକ୍ଷିଣ ଆଫ୍ରିକାକୁ ୫ ୱିକେଟ୍ରେ ବିଜୟୀ କରାଇଛି ।
ଆଫଗାନିସ୍ତାନ ବ୍ୟାଟିଂ: ଆଜି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଆଫଗାନିସ୍ତାନ । ପ୍ରଥମ ୱିକେଟ୍ ପାଇଁ ଦଳର ଦୁଇ ଓପନର ଦଳୀୟ ଖାତାରେ ୪୧ ରନ ଯୋଡ଼ି ଆଉଟ୍ ହୋଇଥିଲେ । କ୍ରମାଗତ ଭାବେ ରେହମାନୁଲ୍ଲା ଗୁର୍ବାଜ ୨୫ ଓ ଇବ୍ରାହିମ୍ ଜଦ୍ରାନ ୧୫ ରନ କରି ଆଉଟ୍ ହୋଇଥିଲେ । ରେହମତ ଶାହ ୨୬ ରନ କରିଥିବାବେଳେ ଅଧିନାୟକ ଶାହିଦି କେବଳ ୨ ରନ୍ କରି ଆଉଟ୍ ହୋଇଥିଲେ । ଦଳ ପକ୍ଷରୁ ବୋଲିଂ ଅଲରାଉଣ୍ଡର ଆଜମତୁଲ୍ଲା ଓମରଜାଇ ସର୍ବାଧିକ ୯୭ ରନ କରି ଅପରାଜିତ ରହିଥିଲେ । ତାଙ୍କ ପାଳିରେ ୭ ଚୌକା ଓ ୩ ଛକା ସାମିଲ ରହିଥିଲା । ହେଲେ ନୂର ଅହମ୍ମଦ (୨୬)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ଅସଫଳର ରହିଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୪ ରନ୍ ସଂଗ୍ରହ କରିଥିଲା ଆଫଗାନିସ୍ତାନ ।
ଦକ୍ଷିଣ ଆଫ୍ରିକା ବୋଲିଂ: ଦକ୍ଷିଣ ଆଫ୍ରିକା ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଗେରାଲ୍ଡ କଏଜି ୧୦ ଓଭର ବୋଲିଂ କରି ୪୪ ରନ ବ୍ୟୟରେ ସର୍ବାଧିକ ୪ଟି ୱିକେଟ୍ ହାସଲ କରିଥିଲେ । ଲୁଙ୍ଗୁ ଏନ୍ଗିଡ଼ି ଓ କେଶବ ମହାରାଜ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିଭଳି ଏଣ୍ଡିଲ୍ ଫେଲୁକ୍ବାୟୋଙ୍କୁ ଗୋଟିଏ ସଫଳତା ମିଳିଥିଲା ।