ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ୪୦୦ ରନର ବଡ଼ ଟାର୍ଗେଟ୍କୁ ପିଛା କରୁଥିବା ଇଂଲଣ୍ଡ କେବଳ ୧୭୦ ରନରେ ସମସ୍ତ ୱିକେଟ୍ ହରାଇଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩୯୯ ରନର ବିଶାଳ ସ୍କୋର କରିଥିଲା । ପ୍ରଥମରୁ କ୍ବିଣ୍ଟନ ଡିକକ୍ଙ୍କ ଝଟ୍କା ସତ୍ତ୍ବେ ଓପନର ରିଜା ହେଣ୍ଡ୍ରିକ୍ସ ୮୫ ରନର ଦମଦାର ପାଳି ଖେଳିଥିଲେ । ରସି ଭାନ୍ଡେର୍ ଡୁସନଙ୍କ ୬୦ ରନ ଓ ମାର୍କୋ ଜାନ୍ସେନ୍ଙ୍କ ୭୫ ରନ ସହିତ ହେନ୍ରିଚ୍ କ୍ଲାସିନ୍ ୧୦୯ ରନର ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋରକୁ ୩୯୯ରେ ପହଞ୍ଚାଇଥିଲେ । ଫଳରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ ରହିଥିଲା । ହେଲେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ବଟଲର ବାହିନୀ । କେବଳ ୧୦୦ ରନରେ ୮ଟି ୱିକେଟ୍ ହରାଇଥିଲା ଇଂଲିସ୍ ଦଳ । ଶେଷରେ ଗସ୍ ଆଟକିନସନ୍ ଓ ମାର୍କ ଉଡ୍ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୭୦ରେ ପହଞ୍ଚାଇଥିଲେ । ଏହାପରେ କେଶବ ମହାରାଜଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ ଗସ୍ ଆକିନସନ୍ । ଦଳର ଅନ୍ୟତମ ଖେଳାଳି ରିସି ଟପ୍ଲି ଆହତ କାରଣରୁ ବ୍ୟାଟିଂ ପାଇଁ ଉପଲବ୍ଧ ନଥିଲେ । ଫଳରେ ୧୭୦ ରନ୍ରେ ସମସ୍ତ ୱିକେଟ୍ ହରାଇଛି ଇଂଲଣ୍ଡ । ସେପଟେ ୨୨୯ ରନରେ ଏକ ବଡ଼ ବିଜୟ ସହ ପୁଣିଥରେ ୱିନିଂ ଟ୍ରାକ୍କୁ ଫେରିଛି ଦକ୍ଷିଣ ଆଫ୍ରିକା ।
ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ଟସ୍ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆହ୍ବାନ ଦେଇଥିଲା ଇଂଲଣ୍ଡ । ଏହାପରେ ପ୍ରଥମ ଓଭରରେ ହିଁ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟ୍କା ମଧ୍ୟ ଦେଇଥିଲା ବଟଲର ବାହିନୀ । ଓପନର କ୍ବିଣ୍ଟନ ଡିକକ୍ ପ୍ରଥମ ବଲରେ ଚୌକା ମାରି ଷ୍ଟାଇଲ୍ରେ ପାଳି ଆରମ୍ଭ କରିଥିବାବେଳେ ଏହାର ପରବର୍ତ୍ତୀ ବଲ୍ରେ ହିଁ ଆଉଟ୍ ହୋଇଥିଲେ । ଏହାପରେ ରିଜା ହେଣ୍ଡ୍ରିକ୍ସ ଓ ରସି ଭାନ୍ଡେର୍ ଡସେନ୍ଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ଦ୍ବିତୀୟ ୱିକେଟ୍ ପାଇଁ ଦଳୀୟ ଖାତାରେ ୧୨୧ ରନ୍ ଯୋଡ଼ିଥିଲେ । ଦଳୀୟ ସ୍କୋର ୧୨୫ ରନ ହୋଇଥିବାବେଳେ ୬୧ ବଲରୁ ୬୦ ରନ କରିଥିବା ରସି ଡସେନ୍ ଆଉଟ୍ ହୋଇଥିଲେ । ଏହାପରେ ହେଣ୍ଡ୍ରିକ୍ସ ୭୫ ବଲରୁ ୯ ଚୌକା ଓ ୩ ଛକା ବଳରେ ୮୫ ରନ କରି ପାଭିଲିୟନ ଫେରିଥିଲେ । ବାଭୁମା ଅସୁସ୍ଥ ଥିବାରୁ ଅଧିନାୟକ ଭାର କାନ୍ଧେଇ ଏଡେନ୍ ମାର୍କ୍ରମ ୪୨ ରନ କରିଥିଲେ । ମିଲର ୫ ରନ କରି ଆଉଟ୍ ହେବାପରେ କ୍ଲାସିନ୍ ଓ ମାର୍କୋ ଜାନ୍ସେନ୍ ଶୋ' ପ୍ରାୟ ୪୯ ଓଭର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଇଂଲିସ୍ ବୋଲରଙ୍କୁ ପ୍ରବଳ ଧୋଇଥିଲେ କ୍ଲାସିନ୍ ଓ ଜାନ୍ସେନ୍ । କ୍ଲାସିନ୍ ୬୭ ବଲରୁ ୧୨ ଚୌକା ଓ ୪ ଛକା ବଳରେ ୧୦୯ ରନର ବିସ୍ଫୋରକ ପାଳି ଖେଳି ଶେଷ ଓଭରର ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟପଟେ ୪୨ ବଲରୁ ୩ ଚୌକା ଓ ୬ ଛକା ସହିତ ଅପରାଜିତ ୭୫ ରନ କରି ଦଳୀୟ ସ୍କୋରକୁ ୩୯୯ ରନ୍ରେ ପହଞ୍ଚାଇଥିଲେ ।
ଇଂଲଣ୍ଡ ବୋଲିଂ: ଇଂଲଣ୍ଡ ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ରିସି ଟପ୍ଲି ଯଦିଓ ସର୍ବାଧିକ ୩ ୱିକେଟ୍ ସଫଳତା ହାସଲ କରିଥିଲେ, ସେ ୮.୫ ଓଭର ବୋଲିଂ କରି ୮୮ ରନ ବ୍ୟୟ ମଧ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗସ୍ ଆକିନସନ୍ ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ । ଉଭୟ ଯଥାକ୍ରମେ ୯ ଓ ୧୦ ଓଭର ଲେଖାଏଁ ବୋଲିଂ କରି ୬୦ ଓ ୬୧ ରନ୍ ବ୍ୟୟ କରିଥିଲେ ।