ଧର୍ମଶାଳା:ବିଶ୍ବକପ 2023ର 13ତମ ସଂସ୍କରଣରେ ଆଜି 15ତମ ମ୍ୟାଚ ଖେଳାଯିବ । ଏଥିରେ ଦକ୍ଷିଆ ଆଫ୍ରିକା ଓ ନେଦରଲାଣ୍ଡସ ପରସ୍ପରକୁ ଭେଟିବେ । ଲଗାତାର ଦୁଇଟି ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଥିବା ଦକ୍ଷିଆ ଆଫ୍ରିକା ଆଜି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ନେଜରଲାଣ୍ଡସକୁ ହରାଇ ଶୀର୍ଷରେ ପହଞ୍ଚିବାକୁ ଟାର୍ଗେଟ୍ ରଖିଛି ଦଳ । ଅନ୍ଯପଟେ ଇଂଲଣ୍ଡ ବିପକ୍ଷରେ ଆଫଗାନିସ୍ତାନର ବିପର୍ଯ୍ୟୟ ପରି ନେଦରଲାଣ୍ଡସ ଆଜି ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ ରହିଛି । ଅପରାହ୍ନ 2ଟାରୁ ମ୍ୟାଚ୍ ଆରମ୍ଭ ହେବ । ଧର୍ମାଶାଳାରେ ଖେଳାଯିବ ମ୍ୟାଚ୍ ।
ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଦଳ 2ଟି ମ୍ୟାଚ୍ରେ ଉନ୍ନତ ପ୍ରଦର୍ଶନ କରି ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ 102ରନରେ ଶ୍ରୀଲଙ୍କା ଓ ଦ୍ବିତୀୟ ମ୍ୟାଚରେ 134ରନରେ 5ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆକୁ ମାତ ଦେଇଥିବା ଦକ୍ଷିଣ ଆଫ୍ରିକା । କ୍ବିଣ୍ଟନ୍ ଡି କକ ଦୁଇଟି ମ୍ୟାଚରେ ଶତକ ହାସଲ କରିଥିଲେ । ଆଜି ତାଙ୍କ ପାଖରେ ହ୍ୟାଟ୍ରିକ ଶତକ ଅର୍ଜନର ସୁଯୋଗ ରହିଛି । ତାଙ୍କ ପ୍ରଦର୍ଶନ ଉପରେ ନଜର ରହିଛି । ସେହିପରି ଅନ୍ୟ ବ୍ୟାଟର ରାସି ଭାନ ଡର ଡୁସେନ ଓ ଆଡେନ ମାରକ୍ରମଙ୍କ ଉପରେ ମଧ୍ୟ ନଜର ରହିଛି । ବୋଲର କାଗିସୋ ରାବାଡା ଏକ ରେକର୍ଡ ଅପେକ୍ଷାରେ ରହିଛନ୍ତି । 150ଟି ଦିନିକିଆ ୱିକେଟ ପୂରଣ ପାଇଁ ତାଙ୍କୁ ଆଉ ଗୋଟିଏ ୱିକେଟର ଆବଶ୍ୟକତା ରହିଛି । ଆଜି ନେଦରଲାଣ୍ଡଠୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି ଦଳ ।
2022 ଟି-ଟ୍ବେଣ୍ଟି ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ 13ରନ୍ରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇଥିଲା ନେଦରଲାଣ୍ଡସ । ଟୁର୍ଣ୍ଣାମେଣ୍ଟରୁ ଦକ୍ଷିଣ ଆଫ୍ରିକା ବିଦା ହୋଇଥିଲା । ଆଜିର ମ୍ୟାଚ୍ରେ ନେଦରଲାଣ୍ଡସ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ । ନେଦରଲାଣ୍ଡସ 2ଟି ମ୍ୟାଚ୍ ଖେଳି ସାରିଛି ଗୋଟିଏ ବି ଜିତିନାହିଁ । ଆଜି ଦକ୍ଷିଣ ଆଫ୍ରିକାକୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇବା ସହିତ ବିଶ୍ବକପରେ ବିଜୟ ଖାତା ଖୋଲିବାକୁ ଲଷ୍ୟ ରଖିଛି ।