ମୁମ୍ବାଇ: ବିଶ୍ବକପ୍ ୨୦୨୩ରେ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଉଭୟ ଦଳ ନିଜ ନିଜର ଗତ ମ୍ୟାଚ୍ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏହି ମ୍ୟାଚ୍ ଖେଳୁଛନ୍ତି । ତେବେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩୯୯ ରନର ବିଶାଳ ସ୍କୋର କରିଛି । ପ୍ରଥମରୁ କ୍ବିଣ୍ଟନ ଡିକକ୍ଙ୍କ ଝଟ୍କା ସତ୍ତ୍ବେ ଓପନର ରିଜା ହେଣ୍ଡ୍ରିକ୍ସ ୮୫ ରନର ଦମଦାର ପାଳି ଖେଳିଥିଲେ । ରସି ଭାନ୍ଡେର୍ ଡୁସନଙ୍କ ୬୦ ରନ ଓ ମାର୍କୋ ଜାନ୍ସେନ୍ଙ୍କ ୭୫ ରନ ସହିତ ହେନ୍ରିଚ୍ କ୍ଲାସିନ୍ ୧୦୯ ରନର ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋରକୁ ୩୯୯ରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ ରିସି ଟପ୍ଲି ୩ ୱିକେଟ୍ ନେଇଥିଲେ । ଏବେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ ରହିଛି ।
ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ଟସ୍ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆହ୍ବାନ ଦେଇଥିଲା ଇଂଲଣ୍ଡ । ଏହାପରେ ପ୍ରଥମ ଓଭରରେ ହିଁ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟ୍କା ମଧ୍ୟ ଦେଇଥିଲା ବଟଲର ବାହିନୀ । ଓପନର କ୍ବିଣ୍ଟନ ଡିକକ୍ ପ୍ରଥମ ବଲରେ ଚୌକା ମାରି ଷ୍ଟାଇଲ୍ରେ ପାଳି ଆରମ୍ଭ କରିଥିବାବେଳେ ଏହାର ପରବର୍ତ୍ତୀ ବଲ୍ରେ ହିଁ ଆଉଟ୍ ହୋଇଥିଲେ । ଏହାପରେ ରିଜା ହେଣ୍ଡ୍ରିକ୍ସ ଓ ରସି ଭାନ୍ଡେର୍ ଡସେନ୍ଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ଦ୍ବିତୀୟ ୱିକେଟ୍ ପାଇଁ ଦଳୀୟ ଖାତାରେ ୧୨୧ ରନ୍ ଯୋଡ଼ିଥିଲେ । ଦଳୀୟ ସ୍କୋର ୧୨୫ ରନ ହୋଇଥିବାବେଳେ ୬୧ ବଲରୁ ୬୦ ରନ କରିଥିବା ରସି ଡସେନ୍ ଆଉଟ୍ ହୋଇଥିଲେ । ଏହାପରେ ହେଣ୍ଡ୍ରିକ୍ସ ୭୫ ବଲରୁ ୯ ଚୌକା ଓ ୩ ଛକା ବଳରେ ୮୫ ରନ କରି ପାଭିଲିୟନ ଫେରିଥିଲେ । ବାଭୁମା ଅସୁସ୍ଥ ଥିବାରୁ ଅଧିନାୟକ ଭାର କାନ୍ଧେଇ ଏଡେନ୍ ମାର୍କ୍ରମ ୪୨ ରନ କରିଥିଲେ । ମିଲର ୫ ରନ କରି ଆଉଟ୍ ହେବାପରେ କ୍ଲାସିନ୍ ଓ ମାର୍କୋ ଜାନ୍ସେନ୍ ଶୋ' ପ୍ରାୟ ୪୯ ଓଭର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଇଂଲିସ୍ ବୋଲରଙ୍କୁ ପ୍ରବଳ ଧୋଇଥିଲେ କ୍ଲାସିନ୍ ଓ ଜାନ୍ସେନ୍ । କ୍ଲାସିନ୍ ୬୭ ବଲରୁ ୧୨ ଚୌକା ଓ ୪ ଛକା ବଳରେ ୧୦୯ ରନର ବିସ୍ଫୋରକ ପାଳି ଖେଳି ଶେଷ ଓଭରର ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟପଟେ ୪୨ ବଲରୁ ୩ ଚୌକା ଓ ୬ ଛକା ସହିତ ଅପରାଜିତ ୭୫ ରନ କରି ଦଳୀୟ ସ୍କୋରକୁ ୩୯୯ ରନ୍ରେ ପହଞ୍ଚାଇଥିଲେ ।