ମୁମ୍ବାଇ: ୱାଙ୍ଖେଡେ ଷ୍ଟାଡିୟମ୍ରେ ଡିକକ୍ଙ୍କ ବିସ୍ଫୋରଣ । ମାର୍କ୍ରମ-କ୍ଲାସେନଙ୍କ ବ୍ୟାଟରୁ ରନ୍ ବର୍ଷା ଜାରି । ବିଶ୍ବକପ୍ ୨୦୨୩ରେ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି କ୍ବିଣ୍ଟନ ଡିକକ୍ (୧୭୪) ଓ ହେନ୍ରିଚ୍ କ୍ଲାସେନ୍ (୯୦)ଙ୍କ ବିସ୍ଫୋରକ ପାଳି ସହିତ ଅଧିନାୟକ ଏଡେନ ମାର୍କ୍ରମ (୬୦)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୩ ରନର ବିଶାଳ ସ୍କୋର କରିଛି ଦକ୍ଷିଣ ଆଫ୍ରିକା । ଏଥିରେ ଡେଭିଡ୍ ମିଲରଙ୍କ ୩୪ ରନର ଧୂଆଁଧାର ପାଳି ମଧ୍ୟ ସାମିଲ ରହିଛି । ଜବାବରେ ବିଜୟ ପାଇଁ ବାଂଲାଦେଶ ଆଗରେ ୩୮୩ ରନର ବଡ଼ ଟାର୍ଗେଟ୍ ରହିଛି ।
ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାର୍କ୍ରମ । କ୍ବିଣ୍ଟନ୍ ଡିକକ୍ ଆରମ୍ଭରୁ ଆକ୍ରାମକ ବ୍ୟାଟିଂ କରିଥିଲେ ମଧ୍ୟ ଅନ୍ୟତମ ଓପନର ରିଜା ହେଣ୍ଡ୍ରିକ୍ସ କେବଳ ୧୨ ରନ କରି ପାଭିଲିୟନ ଫେରିଥିଲେ । ଏହାପର ଓଭରରେ ତୁରନ୍ତ ରସି ଭାନ୍ଡେର୍ ଡସେନ୍ (୧) ଆଉଟ୍ ହୋଇ ଦଳ ଉପରେ ଚାପ ସୃଷ୍ଟି କରିଥିଲେ । ଏହାପରେ ଡିକକ୍ଙ୍କ ସାଥ୍ ଦେଇଥିଲେ ଅଧିନାୟକ ଏଡେନ୍ ମାର୍କ୍ରମ । ସେ ପରିସ୍ଥିତିକୁ ସମ୍ଭାଳି ୬୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ମାର୍କ୍ରମ ଆଉଟ୍ ହେବାପରେ ହେନ୍ରିଚ୍ କ୍ଲାସେନ୍ ଓ ଡିକକ୍ ମିଳିତ ଭାବେ ବାଂଲାଦେଶୀ ବୋଲରଙ୍କୁ ଆକ୍ରମଣ କରିଥିଲେ । ଡିକକ୍ ୧୪୦ ବଲରୁ ୧୭୪ ରନର ବିସ୍ଫୋରକ ପାଳି ଖେଳି ଆଉଟ୍ ହୋଇଥିଲେ । ତାଙ୍କ ପାଳିରେ ୧୫ ଚୌକା ଓ ୭ ଛକା ସାମିଲ ଥିଲା । ତାଙ୍କ ପରେ କ୍ଲାସେନ୍ଙ୍କ ସହ ମିଶି ମିଲର ବାଂଲାଦେଶ ବୋଲିଂ ବିଭାଗକୁ ଆକ୍ରମଣ କରିଥିଲେ । କ୍ଲାସେନ୍ ୪୯ ବଲରୁ ୨ ଚୌକା ଓ ୮ ଛକା ସହିତ ୯୦ ରନର ବିସ୍ଫୋରକ ପାଳି ଖେଳି ଆଉଟ୍ ହୋଇଥିଲେ । ଏହାପରେ ମିଲର ମାତ୍ର ୧୫ ବଲରେ ଗୋଟିଏ ଚୌକା ଓ ୪ ଛକା ବଳରେ ଅପରାଜିତ ୩୪ ରନ୍ର ଧୂଆଁଧାର ପାଳି ଖେଳି ଦଳୀୟ ସ୍କୋରକୁ ୩୮୨ରେ ପହଞ୍ଚାଇଥିଲେ ।