ଧର୍ମଶାଳା: ବିଶ୍ବକପ୍ ୨୦୨୩ରେ ଆଜି ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ବର୍ଷା ବ୍ୟାଘାତରୁ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିବାରୁ ନିର୍ଦ୍ଧାରିତ ଓଭରରୁ ୭ ଓଭର ଲେଖାଏଁ ବାଦ ଦିଆଯାଇଛି । ଫଳରେ ଉଭୟ ଦଳ ୫୦ ଓଭର ପରିବର୍ତ୍ତେ ୪୩ ଓଭର ଲେଖାଏଁ ଖେଳିବେ । ତେବେ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ସ୍କଟ୍ ଏଡୱାଡ୍ସଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୪୩ ଓଭରରେ ୮ ୱିକେଟ୍ ହରାଇ ୨୪୫ ରନ କରିଛି ନେଦରଲ୍ୟାଣ୍ଡ । ବିଶ୍ବକପ୍ ୨୦୨୩ରେ ଦୁଇଟି ମ୍ୟାଚ୍ ଖେଳି ଅପରାଜିତ ଥିବା ଦକ୍ଷିଣ ଆଫ୍ରିକାକୁ ହ୍ୟାଟ୍ରିକ ବିଜୟ ପାଇଁ ୨୪୬ ରନର ଆବଶ୍ୟକତା ରହିଛି ।
ନେଦରଲ୍ୟାଣ୍ଡ ବ୍ୟାଟିଂ: ଆଜି ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଟେମ୍ବା ବାଭୁମା । ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା ନେଦରଲ୍ୟାଣ୍ଡ ଦଳୀୟ ସ୍କୋର ୨୨ ରନ ହୋଇଥିବା ବେଳେ ପ୍ରଥମ ୱିକେଟ୍ ହରାଇଥିଲା । କେବଳ ୨ ରନ କରି ପାଭିଲିୟନ ଫେରିଥିଲେ ଓପନର ବିକ୍ରମଜିତ ସିଂହ । ଏହାପରେ ତୁରନ୍ତ ମାକ୍ସ ଓଡ୍ୱଡ୍ ମଧ୍ୟ ଆଉଟ୍ ହୋଇଥିଲେ । ତେବେ ସେ ୧୮ ରନର ପାଳି ଖେଳିଥିଲେ । କଲିନ ଅକରମାନ୍ ୧୩ ରନ କରି ଆଉଟ୍ ହୋଇଥିବାବେଳେ ବସ ଡିଲେଡ୍ ୨ ରନ କରି ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ ପାଳିକୁ ସମ୍ଭାଳି ଆଗକୁ ନେଉଥିବାବେଳେ ଅନ୍ୟପଟେ ଦଳୀୟ ବ୍ୟାଟରମାନେ ନିଜ ୱିକେଟ ହରାଇ ଚାଲିଥିଲେ । ସାଇବ୍ରାଣ୍ଡ ଏଞ୍ଜେଲବ୍ରେଚ୍ ୧୯, ତେଜା ନିଦାମାନୁରୁ ୨୦, ଲୋଗାନ ଭାନ୍ ବିକ୍ ୧୦ ଓ ରୋଇଲୋଫ ଭାନ୍ଡେର୍ ମେରୱେ ୨୯ ରନ କରି ଆଉଟ୍ ହୋଇଥିଲେ । ତେବେ ଅଧିନାୟକ ସ୍କଟ୍ ଏଡ୍ୱାର୍ଡ୍ସ ୬୯ ବଲରୁ ୧୦ ଚୌକା ଓ ଗୋଟିଏ ଛକା ସହ ସର୍ବାଧିକ ୭୮ ରନର ଲଢ଼ୁଆ ପାଳି ଖେଳି ଦଳୀୟ ସ୍କୋରକୁ ୨୪୫ ରନରେ ପହଞ୍ଚାଇଥିଲେ । ଶେଷକୁ ଆର୍ଯ୍ୟାନୁ ଦତ୍ତ ୯ ବଲରୁ ୨୩ ରନର ବିସ୍ଫୋରକ ପାଳି ଖେଳି ଦଳୀୟ ଖାତାରେ ଉପଯୋଗୀ ଯୋଗଦାନ ଦେଇଥିଲେ ।