ଧର୍ମଶାଳା: ଇନ୍-ଫର୍ମ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପ୍ ୨୦୨୩ରେ କ୍ରମାଗତ ୨ଟି ବଡ଼ ମ୍ୟାଚ୍ ଜିତି ବିଜୟଧାରା ଜାରି ରଖିଥିଲା । ହେଲେ ମଙ୍ଗଳବାର ଧର୍ମଶାଳାରେ ଦଳର ବିଜୟ ରଥକୁ ଅଟକାଇ ବିଶ୍ବକପ୍ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା ନେଦରଲ୍ୟାଣ୍ଡ । ପ୍ରଥମେ ବ୍ୟାଟିଂ କରି ଡଚ୍ ଦଳ ୨୪୫ ରନ କରିଥିବାବେଳେ ଦକ୍ଷିଣ ଆଫ୍ରିକାକୁ କେବଳ ୨୦୭ ରନରେ ଅଟକାଇ ଦେଇଥିଲା । ତେବେ ଏହି ବିପର୍ଯ୍ୟୟ ପାଇଁ ଦକ୍ଷିଣ ଆପ୍ରିକା ପ୍ରଶିକ୍ଷକ ରବ୍ ୱାଲ୍ଟର ଆଫ୍ରିକୀୟ ଦଳର ଡେଥ୍ ଓଭର ବୋଲିଂ ଓ ଶୀର୍ଷକ୍ରମ ବ୍ୟାଟିଂକୁ ଦାୟୀ କରିଛନ୍ତି ।
ବର୍ଷା ପ୍ରଭାବରେ ୪୩ ଓଭର ଲେଖାଏଁ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ନେଦରଲ୍ୟାଣ୍ଡ କେବଳ ୧୪୦ ରନରେ ୭ ୱିକେଟ୍ ହରାଇ ସାରିଥିଲା । ହେଲେ ଦଳକୁ କଠିନ ସ୍ଥିତିରୁ ବାହାର କରି ବିସ୍ଫୋରକ ପାଳି ଖେଳିଥିଲେ ଦଳର ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ । ସେ ୬୯ ବଲରୁ ଅପରାଜିତ ୭୮ ରନର ବିସ୍ଫୋରକ ପାଳି ଖେଳି ଦଳକୁ ୨୪୫ ରନର ଲଢ଼ୁଆ ସ୍କୋରରେ ପହଞ୍ଚାଇଥିଲେ । ଜବାବରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଖେଳୁଥିବା ଦକ୍ଷିଣ ଆଫ୍ରିକା ଡଚ୍ ବୋଲିଂ ବାହିନୀ ଆଗରେ ସଙ୍ଘର୍ଷ କରିଥିଲା । ଫଳରେ ୪୨.୫ ଓଭରରେ କେବଳ ୨୦୭ ରନରେ ହିଁ ସମସ୍ତ ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ନେଦରଲ୍ୟାଣ୍ଡ ପାଇଁ ବିଶ୍ବକପ୍ ଇତିହାସରେ ତୃତୀୟ ବିଜୟ ହୋଇଥିବାବେଳେ ଏକ ଟେଷ୍ଟ୍ ମାନ୍ୟତାପ୍ରାପ୍ତ ଦଳ ବିରୋଧରେ ଡଚ୍ ମେନ୍ଙ୍କର ଏହା ପ୍ରଥମ ବିଜୟ ।