କୋଲକାତା: କଥାରେ ଅଛି, ଜଣଙ୍କର ଦୁର୍ଭାଗ୍ୟ ଅନ୍ୟ କାହାର ସୌଭାଗ୍ୟରେ ପରିଣତ ହୋଇପାରେ । ବିଶ୍ବକପ୍ ୨୦୨୩ ଖେଳିବାକୁ ଯାଉଥିବା ଭାରତୀୟ ଦଳରେ ଏହି ଲୋକକଥା ବେଶ ମେଳ ଖାଉଛି । ଭାରତୀୟ ଦଳର ଷ୍ଟାର ବ୍ୟାଟର ଶୁଭମନ ଗିଲ୍ ଶୁକ୍ରବାର ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ବିଶ୍ବକପ୍ ଖେଳିବାକୁ ସ୍ବପ୍ନ ଦେଖୁଥିବା ଏହି ଯୁବ ତାରକା ବ୍ୟାଟରଙ୍କ ଅସୁସ୍ଥତା ହୁଏତ ଈଶାନ କିଷାନଙ୍କ ପାଇଁ ଆଶୀର୍ବାଦରେ ପରିଣତ ହୋଇପାରେ । ରବିବାର ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ମ୍ୟାଚ୍ରେ ଗିଲ୍ଙ୍କ ଅନୁପସ୍ଥିତି ଈଶାନ କିଷାନଙ୍କ ପାଇଁ ଟପ୍ ଅର୍ଡର୍ରେ ନିଜକୁ ପ୍ରମାଣିତ କରିବାର ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ।
ଅଧିନାୟକ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବା ପାଇଁ ଟିମ୍ ମ୍ୟାନେଜମେଣ୍ଟର ପ୍ରଥମ ପସନ୍ଦ ଥିଲେ ଶୁଭମନ ଗିଲ । ଫଳରେ ଓପନିଂ କରିବାକୁ ଭଲ ପାଉଥିବା କିଷାନଙ୍କୁ ମଧ୍ୟକ୍ରମରେ ଖେଳିବାକୁ ପଡ଼ୁଥିଲା । ହେଲେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଗିଲ ଖେଳିବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ଯଦି ଗିଲ୍ କିଛି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଉନାହାନ୍ତି, ତେବେ ଏହା ନିଜକୁ ଶୀର୍ଷକ୍ରମ ବ୍ୟାଟିଂରେ ପ୍ରମାଣିତ କରିବାକୁ ଈଶାନ କିଷାନଙ୍କ ପାଇଁ ଦ୍ବାର ଖୋଲିବ ବୋଲି କୁହାଯାଉଛି । ଉଭୟଙ୍କ ପ୍ରଦର୍ଶନକୁ ଦେଖିଲେ ୨୪ ବର୍ଷୀୟ ଗିଲ୍ ସବୁ ଫର୍ମାଟ୍ରେ ଗୋଟିଏ ପରେ ଗୋଟିଏ ଶତକ ଯୋଡ଼ି ନିଜକୁ ଢେର ଆଗରେ ରଖିଛନ୍ତି । ସେପଟେ ଦିନିକିଆରେ କେବଳ ଗୋଟିଏ ଶତକ ଓ ଗୋଟିଏ ଦ୍ବିଶତକ ସହିତ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ୨୫ ବର୍ଷୀୟ କିଷାନ ।