ହାଇଦ୍ରାବାଦ: ଆଇସିସି କ୍ରିକେଟ ବିଶ୍ବକପରେ ଆଜି(ଶୁକ୍ରବାର) ଦ୍ବିତୀୟ ମ୍ୟାଚ ଖେଳାଯିବ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ମୁକାବିଲା ହେବ । 7 ବର୍ଷ ପରେ ଭାରତ ମାଟିରେ ଖେଳିବାକୁ ଯାଉଛି ପାକିସ୍ତାନ । ମ୍ୟାଚ୍ ରିପୋର୍ଟ ଅନୁସାରେ ପାକିସ୍ତାନ ପଲ୍ଲା ଭାରି ଥିଲେ ବି ଯୋଗ୍ୟତା ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍କୁ ହରାଇଥିଲା ନେଦରଲାଣ୍ଡସ । ଦଳକୁ ଅଣଦେଖା କରାନଯାଇପାରେ । ଅପରାହ୍ନ 2ଟାରୁ ମ୍ୟାଚ୍ ଆରମ୍ଭ ହେବ । ଦୁଇ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ।
7 ବର୍ଷ ପରେ ପାକିସ୍ତାନ ଭାରତ ମାଟିରେ ଖେଳିବାକୁ ଯାଉଛି । ବିଶ୍ବକପ୍ର 2ଟି ଯାକ ଅଭ୍ୟାସ ମ୍ୟାଚରେ ପାକିସ୍ତାନ ବୋଲିଂ ବିଭାଗ ଦୁର୍ବଳ ମନେ ହେଉଥିଲା । ଆଜି ବିଶ୍ବକପର ପ୍ରଥମ ମ୍ୟାଚ୍ରେ ଏ ତ୍ରୁଟିକୁ ସୁଧାରି ଦଳ ମୈଦାନକୁ ଓହ୍ଲାଇବ । ଭାରତକୁ ଖେଳିବାକୁ ଆସିଥିବା ପାକିସ୍ତାନ ଏକ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଏସିଆ କପ୍ରେ ବିଫଳ ହୋଇଥିବା ବାବର ବାହିନୀ ବିଶ୍ବକପ ଜିତିବାକୁ ପ୍ରୟାସ କରିବ । ଆଜି ବାବର ଆଜମ, ବୋଲିଂରେ ସାହିନ୍ ଆଫ୍ରିଦିଙ୍କ ଉପରେ ନଜର ରହିବ ।
ବାବର ବାହିନୀକୁ ଟକ୍କର ଦେବାକୁ ପ୍ରସ୍ତୁତ ଅଛି ଅରେଞ୍ଜ ଆର୍ମୀ । ପାକିସ୍ତାନର ବିଜୟ ସମ୍ଭାବନା ଅଧିକ ଥିଲେ ସୁଦ୍ଧା ନେଦରଲାଣ୍ଡସ କଡା ଟକ୍କର ଦେବାକୁ ତୟାର ରହିଛି । ନେଦରଲାଣ୍ଡସକୁ ଜିତିବାକୁ ହେଲେ ସବୁ ବିଭାଗରେ ଉଚ୍ଚକୋଟିର ପ୍ରଦର୍ଶନ କରିବାକୁ ହେବ । ବିଶେଷ କରି ବୋଲିଂ ବିଭାଗ ଉପରେ ଫୋକସ କରିବାକୁ ହେବ । ଭାରତୀୟ ଜଳବାୟୁରେ ଖେଳିବା ଅଭିଜ୍ଞତା ନେଦରଲାଣ୍ଡସ ନିକଟରେ ନାହିଁ ଦଳ ପାଇଁ ଆଜର ମୁକାବିଲା ଏକ ପରୀକ୍ଷା ସଦୃଶ ହେବ । ହାଇଦ୍ରାବାଦ ପିଚ ବ୍ୟାଟିଂ ପାଇଁ ଅନୁକୂଳ । ବଡ଼ ସ୍କୋରର ରେକର୍ଡ ରହିଛି । ପାକିସ୍ତାନକୁ ବଡ଼ ସ୍କୋର କରିବାକୁ ରୋକିବାକୁ ହେବ । କାକର ଫ୍ୟାକ୍ଟର ଯୋଗୁଁ ଟସ୍ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବେ ।