ମୁମ୍ବାଇ: ୱାଙ୍ଖେଡେରେ ଆଫଗାନିସ୍ତାନ ବିପକ୍ଷରେ ଏକ ଅବିଶ୍ବସନୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିବାର ସାକ୍ଷୀ ରହିଲେ ପ୍ରଶଂସକ । ଆଇସିସି କ୍ରିକେଟ ବିଶ୍ବକପ୍ ଇତିହାସରେ ଏକ ଚମତ୍କାର ବିଜୟ ହାସଲ କରିଥିଲା ଅଷ୍ଟ୍ରେଲିଆ । ଗୋଡ଼ରେ ଆଘାତ ସତ୍ତ୍ବେ ଗ୍ଲେନ୍ ମ୍ୟାକ୍ସୱେଲ ବିସ୍ଫୋରକ ଦ୍ବିଶତକୀୟ ପାଳି ଖେଳି ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ । ଏହା ସହିତ ପ୍ରଥମରୁ ଧିମା ପଡିଥିବା ୫ ଥରର ବିଶ୍ବ ଚମ୍ପିଆନ ଅଷ୍ଟ୍ରେଲିଆ ଠିକ୍ ସମୟରେ କମ୍ବ୍ୟାକ୍ କରି ଚଳିତ ବିଶ୍ବକପ ସେମିଫାଇନାଲରେ ପହଞ୍ଚିଥିଲା । ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ୧୨୮ ବଲରେ ୨୦୧ ରନ୍ କରି ଦଳକୁ ବିଜୟୀ କରାଇଥିଲେ ମ୍ୟାକ୍ସୱେଲ ।
ମ୍ୟାକ୍ସୱେଲ୍ଙ୍କ ଏହି ଅବିଶ୍ବସନୀୟ ପାଳି ପରେ ସାରା ବିଶ୍ବର କ୍ରିକେଟ୍ପ୍ରେମୀ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । କେବଳ କ୍ରିକେଟ୍ପ୍ରେମୀ ନୁହଁନ୍ତି, ବହୁ କ୍ରିକେଟର ଓ କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ ମ୍ୟାକ୍ସୱେଲ୍ଙ୍କ ଏହି ପାଳି ଦେଖି ହତଚକିତ ହୋଇଯାଇଛନ୍ତି । ସମସ୍ତେ ମାକ୍ସି ଶୋ'ର ପ୍ରଶଂସା କରୁଛନ୍ତି । ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ଏହି ଇନିଂସକୁ ପ୍ରଶଂସା କରିଛନ୍ତି । ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ସେ ମ୍ୟାକ୍ସୱେଲ୍ଙ୍କ ଏହି ଐତିହାସିକ ପାଳିର କିଛି ଫଟୋ ପୋଷ୍ଟ କରିଛନ୍ତି । ଏହାର କ୍ୟାପ୍ସନ୍ରେ ସଚିନ୍ ଲେଖିଛନ୍ତି, "ଜୀବନ ଏବଂ କ୍ରିକେଟ ମଧ୍ୟରେ ଅନେକ ସମାନତା ରହିଛି । ବେଳେବେଳେ ସ୍ପ୍ରିଙ୍ଗ୍ ପରି ଯାହା ଆପଣଙ୍କୁ ପଛକୁ ଟାଣିଥାଏ, ତାହା ହିଁ ଆପଣଙ୍କୁ ଆଗକୁ ଗତି ଦେଇଥାଏ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ କ୍ରାମ୍ପ୍ସ ତାଙ୍କୁ ଫୁଟ୍ୱାର୍କ କରିବାରେ ବାଧା ଦେଇଥିଲା । ଏହି କାରଣରୁ ସେ ଫୁଟ୍ୱାର୍କ କରିନପାରି କ୍ରିଜରେ ହିଁ ସ୍ଥିର ରହିଲେ । ଏହା ତାଙ୍କୁ ଏକ ସ୍ଥିର ମସ୍ତିଷ୍କ ରଖିବାରେ, ବଲକୁ ଅତି ନିକଟରୁ ଦେଖିବାରେ ଏବଂ ତାଙ୍କ ହାତ ଓ ଆଖି ସମନ୍ବୟକୁ ଅସାଧାରଣ ବ୍ୟାଟ-ସ୍ପିଡ୍ ସହ କାମ କରିବାରେ ସାହାଯ୍ୟ କଲା । ଖେଳର ବିଭିନ୍ନ ଫର୍ମାଟ୍ ଏବଂ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଫୁଟ୍ୱାର୍କ୍ ଆବଶ୍ୟକ ହୋଇଥାଏ । ଏବଂ ବେଳେବେଳେ କୌଣସି ଫୁଟ୍ୱାର୍କ ନକରିବା ମଧ୍ୟ ଏକ ଭଲ ପଦକ୍ଷେପ ହୋଇଥାଏ ।"