ବେଙ୍ଗାଲୁରୁ: ବିଶ୍ବକପ୍ ୨୦୨୩ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରବିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶେଷ ଲିଗ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡକୁ ଭେଟିବ ଆୟୋଜକ ଭାରତ । ଏପର୍ଯ୍ୟନ୍ତ ୮ ଲିଗ୍ ମ୍ୟାଚ୍ ଖେଳିଥିବା ଟିମ୍ ଇଣ୍ଡିଆ ୮ ବିଜୟ ସହ ପଏଣ୍ଟ୍ସ ଟେବୁଲ ଶୀର୍ଷରେ ରହି ଅଭିଯାନ ଶେଷ କରିବାକୁ ଯାଉଛି । ତେବେ ଶେଷ ଲିଗ୍ ମ୍ୟାଚ୍ରେ ମଧ୍ୟ ଦଳରେ କୌଣସି ପରିବର୍ତ୍ତନର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ । ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଶନିବାର ବେଙ୍ଗାଲୁରୁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ସଙ୍କେତ ଦେଇଛନ୍ତି ଦ୍ରାବିଡ ।
ନଭେମ୍ବର ୧୫ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବିଶ୍ବକପ୍ ୨୦୨୩ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ର ଦଳର ଏକାଧିକ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ନେଇ ଆଲୋଚନା ହେଉଥିଲା । ହେଲେ ଏନେଇ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି, "ଶେଷ ମ୍ୟାଚ୍ ପରେ ଆମକୁ ୬ ଦିନ ବିଶ୍ରାମ ମିଳିଛି । ତେଣୁ ଆମେ ସମସ୍ତେ ବହୁତ ବିଶ୍ରାମ ନେଇଛୁ । ସେମିଫାଇନାଲ୍ ପୂର୍ବରୁ ଆମ ହାତରେ ଆଉ ମାତ୍ର ଗୋଟିଏ ମ୍ୟାଚ୍ ବାକି ଅଛି । ତେଣୁ ଆଉ ଅଧିକ ବିଶ୍ରାମର ଆବଶ୍ୟକତା ନାହିଁ ।"
ପ୍ରସିଦ୍ଧ କୃଷ୍ଣାଙ୍କୁ ମିଳିବନି ସୁଯୋଗ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଦୃତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ସୁଯୋଗ ମିଳିବ କି ନାହିଁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦଳରେ କୌଣସି ପରିବର୍ତ୍ତନର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି ଦ୍ରାବିଡ । ସେ କହିଛନ୍ତି, "ଆମେ ବର୍ତ୍ତମାନ ଏକ ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟରେ ଅଛନ୍ତି । ଏହି ପର୍ଯ୍ୟାୟରେ ଆମେ କେବଳ ସେହି ଖେଳାଳିଙ୍କ ଉପରେ ଧ୍ୟାନ ଦେବା, ଯେଉଁମାନେ ମାନସିକ ଏବଂ ଶାରୀରିକ ସ୍ତରରେ ସେମିଫାଇନାଲ୍ ଏବଂ ଫାଇନାଲ୍ ଖେଳିବାକୁ ସମର୍ଥ ହେବେ ।"
ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସେମିଫାଇନାଲ୍ ଲାଇନ୍-ଅପ୍ ସ୍ପଷ୍ଟ କଲା ଆଇସିସି, ୧୫ରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା
ରୋହିତଙ୍କୁ ନେଇ ଏମିତି କହିଲେ କୋଚ୍: ବିଶ୍ବକପ୍ରେ ଏ ପର୍ଯ୍ୟନ୍ତ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ । ରାହୁଲ କହିଛନ୍ତି, "ରୋହିତ ନିଶ୍ଚିତ ଭାବେ ଜଣେ ଭଲ ଅଧିନାୟକ । ସେ ମୈଦାନ ଭିତରେ ଏବଂ ବାହାରେ ଏହାର ଉଦାହରଣ ଦେଇଛନ୍ତି । ଏଭଳି କିଛି ମ୍ୟାଚ୍ ଥିଲା ଯାହା ଆମ ପାଇଁ କଷ୍ଟକର ହୋଇପାରିଥାନ୍ତା । ହେଲେ ସେ ସବୁ ମ୍ୟାଚ୍ରେ ଦଳକୁ ଭଲ ଆରମ୍ଭ ଦେଇଥିଲେ । ରୋହିତଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ତାଙ୍କ ପରେ ଆସୁଥିବା ଖେଳାଳିଙ୍କ ଉପରେ ସେତେଟା ଚାପ ରହିନଥିଲା ଓ ରନ୍ ଚେସ୍ କରିବା ସହଜ ହୋଇଯାଇଥିଲା । ଏସବୁ ଦେଖିଲେ ରୋହିତ ଦଳର ଆବଶ୍ୟକତା ସମୟରେ ଖେଳି ଉଦାହରଣ ପାଲଟିଛନ୍ତି । ଏହାର ପ୍ରଭାବ ଡ୍ରେସିଂରୁମ୍ରେ ମଧ୍ୟ ପଡ଼ିଛି । ଖେଳାଳି ଭାବେ ତାଙ୍କ ପ୍ରଦର୍ଶନ ଏବଂ ଅଧିନାୟକ ଭାବେ ତାଙ୍କ ଭୂମିକା ବେଶ ପ୍ରଶଂସନୀୟ ।"
ଏହା ମଧ୍ଯ ପଢ଼ନ୍ତୁ...Cricket World Cup 2023: ଷ୍ଟାଡିୟମରେ ବିଶ୍ବକପ୍ ଦେଖିଲେଣି ୧୦ ଲକ୍ଷ ଦର୍ଶକ, ଭାଙ୍ଗିଲେ ସବୁ ରେକର୍ଡ
କଠିନ ପରିସ୍ଥିତିରେ ହିରୋ ଆୟର: ପ୍ରେସ୍ମିଟ୍ରେ ଟିମ୍ ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି, "ଚାପରେ ତାଙ୍କର କିଛି ନକ୍ ଦେଖନ୍ତୁ, ସେ କିପରି କଠିନ ପରିସ୍ଥିତିରେ ନିଜଠାରୁ ସର୍ବୋତ୍ତମକୁ ବାହାର କରିବାରେ ସକ୍ଷମ ହୋଇଛନ୍ତି । ସେ କରୁଥିବା ସବୁଠାରୁ ବଡ଼ କାମ ହେଉଛି କ୍ରିଜ୍ରେ ରହିବା । ତାଙ୍କର ଟେଷ୍ଟ ଇନିଂସ ଏବଂ ଟେଷ୍ଟ ଡେବ୍ୟୁକୁ ଦେଖନ୍ତୁ । ସେ ଆମ ପାଇଁ ଖେଳିଥିବା କଠିନ ପାଳିକୁ ଦେଖନ୍ତୁ । ବାଂଲାଦେଶ ବିପକ୍ଷରେ ଯେତେବେଳେ ଆମ ଉପରେ ଅତ୍ୟଧିକ ଚାପ ରହିଥିଲା, ସେତେବେଳେ ଆମକୁ କଠିନ ପରିସ୍ଥିତିରୁ ବାହାର କରିଥିବା ବ୍ୟକ୍ତି ହେଉଛନ୍ତି ଆୟର । ରବିଚନ୍ଦ୍ରନ୍ ଅଶ୍ବିନ ଏବଂ ଶ୍ରେୟସ୍ଙ୍କ ଭଳି ଖେଳାଳିଙ୍କ ପାଖରେ ଅବିଶ୍ବସନୀୟ ଆତ୍ମବିଶ୍ବାସ ଅଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ